ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମେ ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣା ଆଉ ଏବେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନୂଆ ଅସ୍ତ୍ର କରିଛି ବିଜେପି। ପରୀ ପାଇଁ ବିଜେପି ଯେପରି ବିକ୍ଷୋଭ, ଆନ୍ଦୋଳନ, ପଦଯାତ୍ରା ଆଦି କରି ରାଜ୍ୟ ରାଜନୀତିକୁ ସରଗରମ କରିଦେଇଥିଲା, ଏବେ ମାହାଙ୍ଗା ହତ୍ୟା ଘଟଣାରେ ମଧ୍ୟ ସମାନ ରଣନୀତି ଆପଣାଉଛି ଦଳ।

ଉଭୟ ମାମଲାରେ ରାଜ୍ୟ ସରକାରଙ୍କ ଦୁଇ ବଡ଼ ମୁଣ୍ଡଙ୍କୁ ଟାର୍ଗେଟ କରିଛି ବିଜେପି। ପରୀ ମାମଲାରେ ମନ୍ତ୍ରୀ ଅରୁଣ ସାହୁ, ଆଉ ମାହାଙ୍ଗା ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନା। ସେତେବେଳେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଆଉ ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରିଛି ଦଳ। ତେବେ ଦୁଇଜଣଯାକ ନେତା ନବୀନଙ୍କ କ୍ୟାବିନେଟରେ ବଡ଼ ପଦବୀରେ ରହିଛନ୍ତି। ଅନ୍ୟପଟେ ଦଳର ସାଂଗଠନିକ କାର୍ଯ୍ୟରେ ମଧ୍ୟ ଉଭୟ ନେତାଙ୍କ ବେଶ୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। କିନ୍ତୁ ନୟାଗଡ଼ରେ ବିଜେପିର ଅସ୍ତ୍ର ସେତେଟା କାମ କରିନଥିଲା। ତେବେ ମାହାଙ୍ଗାରେ ବିଜେପିର ଏହି ନୂଆ ଅସ୍ତ୍ର କେତେ ସଫଳ ହେବ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି।ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ସାଲେପୁର ବିଜେପି ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ରାଜନୈତିକ ଶତ୍ରୁତା ପାଇଁ ହତ୍ୟା କରାଯାଇଛି। ଏହି ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ରହିଛି। ସ୍ଵର୍ଗତ କୁଳମଣିଙ୍କ ପୁଅ ତଥା ମାହାଙ୍ଗା ବ୍ଲକର ଅଧ୍ୟକ୍ଷ ରମାକାନ୍ତ ବରାଳ ଏପରି ଅଭିଯୋଗ ଆଣି ପୋଲିସରେ ଏତଲା ଦେଇଛନ୍ତି। ରମାକାନ୍ତଙ୍କ ଅଭିଯୋଗ ପରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଟାର୍ଗେଟ କରିଛି ବିଜେପି।ଇସ୍ତଫା ଦିଅନ୍ତୁ ପ୍ରତାପ ଜେନା: ସମୀର ମହାନ୍ତି

ପ୍ରତାପ ଜେନା ଶୀଘ୍ର ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ରବିବାର ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଦାବି କରିଛନ୍ତି। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ କଟକ ଜିଲ୍ଲା ଏସ୍‌ପିଙ୍କ ଆଗରେ ସମାନ ଦାବି କରିଛନ୍ତି। ଏହାପରେ ସୋମବାର ଏହି ହତ୍ୟା ଘଟଣାକୁ ନେଇ କଟକ ଏବଂ ମାହାଙ୍ଗାରେ ରାସ୍ତାକୁ ଓହ୍ଲାଇଛି ବିଜେପି। ପ୍ରତାପଙ୍କ କୁଶପୁତ୍ତଳିକା ଜାଳିବା ସହ ତାଙ୍କୁ ଗିରଫ ପାଇଁ ଦାବି କରିଛି ଦଳ।

ଅନ୍ୟପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ମଧ୍ୟ ଏହି ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ନିଶାଣ କରିଛନ୍ତି। ସୋମବାର ପୃଥ୍ଵୀରାଜ ହରିଚନ୍ଦନ ଟୁଇଟ କରି କହିଛନ୍ତି ଯେ, ବିଜେଡି ସମର୍ଥିତ ଗୁଣ୍ଡାଙ୍କ ଦ୍ୱାରା ମାହାଙ୍ଗାରେ ଏହି ହତ୍ୟା କରାଯାଇଛି। ପୂର୍ବରୁ କଂଗ୍ରେସ କରୁଥିଲା, ଏବେ ବିଜେଡି କରୁଛି। ଏହା ଅତ୍ୟନ୍ତ ଲଜ୍ଜାକର ଘଟଣା। ତେଣୁ ଯଦି ୪୮ ଘଣ୍ଟାରେ ଦୋଷୀ ଧରା ନ ପଡ଼େ, ତେବେ ରାଜ୍ୟରେ ପ୍ରତିବାଦ କରାଯିବ। ଏଥିସହ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ସାଧାରଣ ଉତ୍ସବରେ ଭାଗନେବାକୁ ଦିଆଯିବ ନାହିଁ। ସବୁଠି କଳାବ୍ୟାଚ୍ ପ୍ରଦର୍ଶନ କରିବ ବିଜେପି।ମାଇଲେଜ ଟାଣୁଛି ବିଜେପି

ନୟାଗଡ଼ ପରୀ ହତ୍ୟା ଘଟଣାରେ ଜୋରଦାର ପ୍ରତିବାଦ କରି ଶାସକଦଳ ବିଜେଡିର ଶକ୍ତିକୁ ଦୁର୍ବଳ କରିବାକୁ କିଛି ମାଇଲେଜ୍ ଟାଣିନେଇଥିଲା ବିଜେପି। ଏବେ ମାହାଙ୍ଗା ହତ୍ୟା ଘଟଣାକୁ ଦଳ ନିଜ ପାଇଁ ନୂଆ ଅସ୍ତ୍ର କରିଛି। ପୁଣି ଶକ୍ତି ଗୋଟାଇ ଦଳ ଅଭିଯୋଗ, ପ୍ରତିବାଦ, ଧାରଣା ଆଦି ଆରମ୍ଭ କରିଦେଇଛି। ସୋମବାର ଦଳ କରିଥିବା ଆନ୍ଦୋଳନରୁ ଏହାର ସଙ୍କେତ ମିଳିଛି। ଏଥିସହ ଆସନ୍ତା ୬ ତାରିଖରେ ସମସ୍ତ ଏସ୍‌ପି ଅଫିସ ଘେରାଉ ସହ ୮ ତାରିଖରେ ଡିଜି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ଦଳ। ମନ୍ତ୍ରୀ ପ୍ରତାପ ଜେନାଙ୍କ ଗିରଫ ଏବଂ ବହିଷ୍କାର ଦାବିରେ କଟକ ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି।

Comment