ଓଡ଼ିଶାଲାଇଭ୍ ବ୍ୟୁରୋ
୧୦ ଦିନ ଭିତରେ ଦେଶରେ କରୋନା ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସରକାର କହିବା ପରେ ଓଡ଼ିଶାରେ ଟିକାକରଣ ପାଇଁ ତତ୍ପରତା ଦେଖାଯାଇଛି। ଟିକା ଆସିବା କ୍ଷଣି ଦିନେ କି ଦୁଇ ଦିନ ଭିତରେ ଟିକାକରଣ ଆରମ୍ଭ ହୋଇଯିବ ବୋଲି ବୁଧବାର ଡିଏମଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି।
ରାଜ୍ୟରେ ଟିକାକରଣର ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାମାନେ ଟିକା ନେବେ। କିନ୍ତୁ ସେମାନଙ୍କ ପାଇଁ ଟିକା ବାଧ୍ୟତାମୂଳକ ନୁହେଁ। ଯେଉଁ ସ୍ୱାସ୍ଥ୍ୟକର୍ମୀ ଚାହିଁବେ ସେମାନେ ଟିକା ନେବେ ଓ ଯେଉଁମାନେ ଚାହିଁବେନି ତାଙ୍କୁ ଟିକା ଦିଆଯିବ ନାହିଁ ବୋଲି କହିଛନ୍ତି ସିବିକେ ମହାନ୍ତି।
ଜାନୁଆରି ୩ରେ ସିରମ୍ ଇନଷ୍ଟିଚ୍ୟୁଟ ଦ୍ଵାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ ଦ୍ଵାରା ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଜରୁରୀକାଳୀନ ଭିତ୍ତିରେ ବ୍ୟବହାର ପାଇଁ ଡିଜିସିଆଇ ଅନୁମତି ଦେଇଥିଲା। ଏହାପୂର୍ବରୁ ବିଭିନ୍ନ ରାଜ୍ୟରେ ଟିକାକରଣ ପାଇଁ ହୋଇଥିବା ଡ୍ରାଏ ରନ୍ ସଫଳ ହୋଇଥିଲା। ଏହାପରେ ୧୦ ଦିନ ଭିତରେ ଟିକାକରଣ ଆରମ୍ଭ ହେବ ବୋଲି କହିଥିଲେ କେନ୍ଦ୍ର ସରକାର।