ଓଡ଼ିଶାଲାଇଭ୍ ବ୍ୟୁରୋ

ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। କିନ୍ତୁ ଏଯାଏଁ ତୁଟିନି ମୂର୍ତ୍ତି ବିବାଦ। ଦୂର୍ଗା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ପ୍ରତିବାଦ ଚାଲିଥିବାବେଳେ ଏହାକୁ ନେଇ ମୁହଁ ଖୋଲିଛନ୍ତି ଡିଏମଇଟି ସିବିକେ ମହାନ୍ତି।

ସେ କହିଛନ୍ତି, “ମୂର୍ତ୍ତିର ଉଚ୍ଚତା ବୃଦ୍ଧି ପରୋକ୍ଷରେ କରୋନା ସଂକ୍ରମଣର କାରଣ ହେବ। ତେଣୁ ସମସ୍ତ ଦିଗକୁ ବିଚାରକୁ ନେଇ ମୃର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ କିମ୍ବା ତା’ଠାରୁ କମ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।”

ସେ ଆଉ ମଧ୍ୟ କହିଛନ୍ତି, “କେରଳର ଓନମ୍ ପର୍ବକୁ ଦେଖି ଜନସାଧାରଣ ଶିକ୍ଷାଲାଭ କରିବା କଥା। କାରଣ ଓନମ୍ ପର୍ବ ପାଳନ ସମୟରେ କେରଳବାସୀ କୌଣସି ପ୍ରକାରର କଟକଣା ମାନି ନଥିଲେ। ତେଣୁ ପର ମୁହୂର୍ତ୍ତରେ ସେଠାକାର କରୋନା ସ୍ଥିତି ସଙ୍ଗୀନ ହୋଇଛି। ପ୍ରତିଦିନ ପୁଳା ପୁଳା କରୋନା ରୋଗୀ ଚିହ୍ନଟ ହେଉଛନ୍ତି।”

ଏବେ ଆମ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରରେ ରହିଛି। ତେଣୁ ପାର୍ବଣ ପୂଜା ପର୍ବ ସମୟରେ କୋଭିଡ ଗାଇଡଲାଇନ ମାନିବାକୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏଥିସହ ମୂର୍ତ୍ତିର ଉଚ୍ଚତା କାହିଁକି କମ୍ କରାଯାଇଛି, ସେନେଇ ମଧ୍ୟ କାରଣ ଦର୍ଶାଯାଇଛି।

କାହିଁକି ମୂର୍ତ୍ତିର ଉଚ୍ଚତା ୪ ଫୁଟ?

କୋଭିଡର ଦ୍ଵିତୀୟ ଲହର ନସରୁଣୁ ଅନେକ ରାଜ୍ୟରେ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ଦେଖିବାକୁ ମିଳିଛି। ନିକଟରେ କେରଳର ଓନାମ ପର୍ବ କିପରି ସଂକ୍ରମଣ ବୃଦ୍ଧିର କାରଣ ହୋଇଥିଲା ତାହା ସମସ୍ତେ ଜାଣିଛନ୍ତି। ତେଣୁ ଏଭଳି ପରିସ୍ଥିତି ଯେମିତି ଓଡ଼ିଶାରେ ନ ଉପୁଜୁ, ସେଥିପାଇଁ ମୂର୍ତ୍ତିର ଉଚ୍ଚତାକୁ କମ୍ କରାଯାଇଛି।

ମୂର୍ତ୍ତି ଯେତେ ବଡ଼ ହେବ ତାହାର ସ୍ଥାନାନ୍ତର, ସ୍ଥାପନ ଓ ବିସର୍ଜନ ପାଇଁ ଅଧିକ ଲୋକଙ୍କର ଆବଶ୍ୟକ ପଡ଼ିବ। ଏଥିସହ ଦର୍ଶନ ପାଇଁ ମଧ୍ୟ ଗହଳି ବଢ଼ିବ। କିନ୍ତୁ ଛୋଟ ମୂର୍ତ୍ତି କ୍ଷେତ୍ରରେ ଏସବୁର ଆବଶ୍ୟକ ପଡ଼ିବ ନାହିଁ। ପୂର୍ବ ବର୍ଷ ମଧ୍ୟ ୪ ଫୁଟ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି କରାଯାଇ ଦୂର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ସୁରୁଖୁରୁରେ କରାଯାଇଥିଲା। ଯାହାଫଳରେ କି ପାର୍ବଣ ଋତୁ ପରେ ବି ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଥିଲା।

ବଡ଼ ମୂର୍ତ୍ତି ଓ ଅଧିକ ସାଜସଜ୍ଜା ଲୋକଙ୍କ ଆଗ୍ରହ ଓ ଉତ୍ସୁକତା ବୃଦ୍ଧି କରିବା ସହ ପୂଜା କମିଟିର ଅନିଚ୍ଛା ସତ୍ତ୍ଵେ ପୂଜା ମଣ୍ଡ ନିକଟକୁ ଅଧିକ ଲୋକଙ୍କୁ ଆକର୍ଷିତ କରି ଗହଳି ବଢ଼ାଇବ ଓ ଅଧିକ ସଂକ୍ରମଣକୁ ସୁଯୋଗ ଦେବ। ଏହାକୁ ଦୃଷ୍ଟିରେ ରଖି ମୂର୍ତ୍ତିର ଉଚ୍ଚତା ୪ ଫୁଟ ମଧ୍ୟରେ ସୀମିତ ରଖିବା ସହ ମଣ୍ଡପର ୩ ପାର୍ଶ୍ଵ ଆବଦ୍ଧ ଓ ଗୋଟିଏ ପାର୍ଶ୍ଵ ଖୋଲା ରଖି ପୂଜା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ମୂତ୍ତିର୍ର ଉଚ୍ଚତା ଅପେକ୍ଷା ମା’ଙ୍କ ସେବା, ପଜା ଓ ତାଙ୍କ ସୁନ୍ଦର ସୃଷ୍ଟିର ସୁରକ୍ଷା ହିଁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଇଛି।

Comment