ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମ୍ଭାବ୍ୟ ତୃତୀୟ ଲହର ନେଇ କେନ୍ଦ୍ର ସରକାର ସତର୍କ କରାଇବା ପରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟରେ ଯେମିତି କରୋନା ବେକାବୁ ନ ହୁଏ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।  ବିଶେଷଜ୍ଞଙ୍କ ଆକଳନ ଆଧାରରେ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି ବୋଲି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ତୃତୀୟ ଲହରରେ ପିଲା ଅଧିକ ସଂକ୍ରାମକ ହେବା ଆଶଙ୍କା ଥିବାରୁ ହସ୍ପିଟାଲରେ ଶିଶୁଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ, କୋଭିଡ୍ ହସ୍ପିଟାଲରେ ମଧ୍ୟ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

‘‘ତୃତୀୟ ଲହର ଶୀର୍ଷ ଛୁଇଁଲା ବେଳକୁ ଦେଶରେ ସର୍ବାଧିକ ଦୈନିକ ୪ ଲକ୍ଷ ମାମଲା ଆସିପାରେ ବୋଲି ଆକଳନ କରାଯାଉଛି। ଓଡ଼ିଶାର ଜନସଂଖ୍ୟା ଦେଶର ୩.୬ ପ୍ରତିଶତ ହୋଇଥିବାରୁ ସେପ୍ଟେମ୍ବର ଅକ୍ଟୋବର ବେଳକୁ ରାଜ୍ୟରେ ଦିନକୁ ୧୯ ହଜାର ପ୍ରାୟ  ମାମଲା ଆସିପାରେ’’, କହିଛନ୍ତି ଡାକ୍ତର ସିବିକେ ମହାନ୍ତି।

ଅନ୍ୟପଟେ ୨୦୨୦ରୁ ଆରମ୍ଭ ହୋଇଥିବା ଏହି ମହାମାରୀ ଦୀର୍ଘ ଦେଢ଼ ବର୍ଷ ଧରି ସମଗ୍ର ମାନବ ସମାଜ ପାଇଁ  ଅକଥନୀୟ ଯନ୍ତ୍ରଣା ସୃଷ୍ଟି କରିଛି। ଯଦିଓ ଟିକା ଆସିବା ପରେ କରୋନାଜନିତ ମୃତ୍ୟୁର ଆଶଙ୍କା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି, ତଥାପି ନିରନ୍ତର ମାନସିକ ଚାପ ଦେଇ ଗତି କରୁଛି ମଣିଷ ସମାଜ। କରୋନାର  ଗୋଟିଏ ପରେ ଗୋଟିଏ ଲହର ଆସୁଥିବା ବେଳେ ଏଥରୁ କେବେ ମୁକ୍ତି ମିଳିବ ତାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି।

ବିଶେଷଜ୍ଞଙ୍କ ମତରେ  ସମୂହ ଟିକାକରଣ ପରେ ଯାଇ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ତିଆରୀ ହେବ  ଓ ସେତେବେଳେ ହିଁ  କରୋନାକୁ ମାତ ଦେବା ସମ୍ଭବ ହେବ। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶଦାତା କହିଛନ୍ତି ଯେ ଆମକୁ କରୋନା ସହିତ ବଞ୍ଚି ରହିବା ପାଇଁ ହେବ। ଖାସ ଏଥିପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି।

Comment