ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କରୋନା ସଂକ୍ରମଣ କମିଛି। ଗୋଟିଏ ସମୟରେ ରାଜ୍ୟର ୨୦ରୁ ଊର୍ଦ୍ଧ୍ଵ ଜିଲ୍ଲା ରେଡ୍ ଜୋନରେ ରହୁଥିଲା। କିନ୍ତୁ ଏବେ ସେହି ସ୍ଥିତି ନାହିଁ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏବେ ରାଜ୍ୟ ସବୁଜ ବଳୟ ଭିତରେ ରହିଛି। କେବଳ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ ପରିସରରେ ରହିଥିବାବେଳେ, କଟକ ଏବଂ ବାଲେଶ୍ଵର ୟେଲୋ ଜୋନରେ ରହିଛି। ତେଣୁ ସ୍ଥିତି ଏବଂ ସଂକ୍ରମଣକୁ ଅନୁଧ୍ୟାନ କରି ଅନଲକ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି।ସେ ଆଉ ମଧ୍ୟ କହିଛନ୍ତି, “କେନ୍ଦ୍ର ସରକାରଙ୍କ କୋଭିଡ ଗାଇଡଲାଇନ ଅନୁସାରେ ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାଗୁଡିକରେ କରୋନା କଟକଣା କୋହଳ କରାଯାଇପାରିବ। ତେଣୁ କଟକ, ଖୋର୍ଦ୍ଧା ଓ ବାଲେଶ୍ୱର ଜିଲ୍ଲାକୁ ବାଦଦେଇ ବାକି ଜିଲ୍ଲାଗୁଡିକରେ ଅଗଷ୍ଟ ୧ ପରେ କରୋନା କଟକଣା କୋହଳ କରିବା ଲାଗି ସରକାର ଆଲୋଚନା କରୁଛନ୍ତି। ସକ୍ରିୟ ମାମଲା ଦୃଷ୍ଟିରୁ କେବଳ ଖୋର୍ଦ୍ଧା ଜିଲ୍ଲା ଏବେ ରେଡ ଜୋନରେ ରହିଛି। ଏଠାରେ ୪ ହଜାର ପାଖାପାଖି ସକ୍ରିୟ ମାମଲା ରହିଥିବାବେଳେ ୟେଲୋ ଜୋନରେ ଥିବା କଟକ ଜିଲ୍ଲାରେ ପ୍ରାୟ ଦୁଇ ହଜାର  ଓ ବାଲେଶ୍ୱର ଜିଲ୍ଲାରେ ଏକ ହଜାରରୁ ଅଧିକ ସକ୍ରିୟ ମାମଲା ରହିଛି। ତେଣୁ ଏସବୁକୁ ବିଚାରକୁ ନେଇ ସରକାର ଆଗାମୀ ପଦକ୍ଷେପ ଗ୍ରହଣ କରିବେ।”ଅନ୍ୟପକ୍ଷରେ କରୋନା ସଂକ୍ରମଣ ନିମ୍ନଗାମୀ ହେବାର ପ୍ରମାଣ ହେଉଛି ରାଜ୍ୟରେ ପଜିଟିଭ ହାରରେ ହ୍ରାସ ଘଟୁଛି। ମଙ୍ଗଳବାର ଦିନ ରାଜ୍ୟରେ ୭୮ ହଜାର ୭୪୦ ନମୁନା ପରୀକ୍ଷା କରାଯାଇଥିବାବେଳେ ପଜିଟିଭ ହାର ୨.୧୬ ପ୍ରତିଶତ ରହିଥିଲା। ଯଦିଓ ନୂଆନୂଆ ସଂକ୍ରମଣ ସାମ୍ନାକୁ ଆସିଛି ତଥାପି ଏହା ଉଦବେଗଜନକ ନୁହେଁ। ଏବେ କେବଳ ଖୋର୍ଦ୍ଧା, କଟକ ଜିଲ୍ଲାରେ ଟେଷ୍ଟ ଏବଂ ପଜିଟିଭ ହାର ୫ ପ୍ରତିଶତ ଉପରେ ରହିଛି। ଖୋର୍ଦ୍ଧାରେ ପଜିଟିଭ ହାର ୬.୭ପ୍ରତିଶତ, କଟକରେ ୬.୨ପ୍ରତିଶତ ରହିଛି। ଯାହାକି ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।

“ରାଜ୍ୟରେ କରୋନାର ତୃତୀୟ ଲହର ସଂକ୍ରମଣ ସମ୍ପର୍କରେ କିଛି କହିହେଉନାହିଁ। ତେଣୁ ବର୍ତ୍ତମାନର କରୋନା ପରିସ୍ଥିତିକୁ ଅନୁଧ୍ୟାନ କରି ଅଗଷ୍ଟରେ ଗାଇଡଲାଇନ ଢ଼େର କୋହଳ କରାଯିବ ଏବଂ ନାଇଟ କର୍ଫ୍ୟୁ ଜାରି ରହିବାର ସମ୍ଭାବନା ରହିଛି” କହିଛନ୍ତି ଡିଏମଇଟି।

ସେପଟେ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଆଜି ରାଜ୍ୟରୁ ୧୬୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୩୭ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବାବେଳେ, ୬୭୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଵାସ୍ଥ୍ୟ ଓ ପରିବାର  କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ୬୫ ଜଣଙ୍କର ମୃତ୍ୟୁ ହୋଇଛି।

Comment