ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ନିଜ ନିୟମାବଳୀକୁ ଅପଡେଟ୍ କରିଛି। ଭାରତୀୟ ୟୁଜରମାନଙ୍କୁ ଗତ ମଙ୍ଗଳବାର ସନ୍ଧ୍ୟାରୁ ଏନେଇ ନୋଟିଫିକେସନ୍ ମିଳିବା ଆରମ୍ଭ ହୋଇଛି। ଆସନ୍ତା ଫେବ୍ରୁଆରି ୮ ତାରିଖ ଭିତରେ ନୂଆ ନିୟମକୁ ନେଇ ଆସୁଥିବା ଏହି ନୋଟିଫିକେସନକୁ ୟୁଜରମାନେ ଗ୍ରହଣ କରିବାକୁ ପଡ଼ିବ। ନଚେତ୍ ହ୍ୱାଟସଆପ୍ ଆକାଉଣ୍ଟ ଡିଲିଟ୍ ହୋଇଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।ଫେବ୍ରୁଆରି ୮ ତାରିଖ ମଧ୍ୟରେ ହ୍ୱାଟସଆପ୍ ୟୁଜରମାନେ ଏହି ନୋଟିଫିକେସନକୁ ଗ୍ରହଣ କରିବା ନିହାତି ଜରୁରୀ। ଏଥିପାଇଁ ଅନ୍ୟ କୌଣସି ବିକଳ୍ପ ଦିଆଯାଉନାହିଁ। ତେବେ ଏଥିରେ ‘ନଟ୍ ନାଓ’ର ବିକଳ୍ପ ମିଳୁଛି। ଅର୍ଥାତ୍ ଯଦି ଆପଣ ନୋଟିଫିକେସନ ଆସିବା ମାତ୍ରେ ଏହାକୁ ଗ୍ରହଣ ନ କରନ୍ତି ଏବଂ ନଟ୍ ନାଓ ବିକଳ୍ପକୁ ବାଛନ୍ତି ତେବେ କିଛି ସମୟ ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟ କାର୍ଯ୍ୟକ୍ଷମ ରହିବ।

କମ୍ପାନିର ନୂଆ ନିୟମ ଅନୁଯାୟୀ ଏଣିକି ହ୍ୱାଟସଆପ୍ ନିଜର ତଥ୍ୟଗୁଡ଼ିକୁ ଫେସବୁକ ସହ ସେୟାର କରିପାରିବ। ଏଥିପାଇଁ ୟୁଜରମାନେ କମ୍ପାନି ପକ୍ଷରୁ ଆସୁଥିବା ନୋଟିଫିକେସନକୁ ଗ୍ରହଣ କରି ଲାଇସେନ୍ସ ପ୍ରଦାନ କରିବେ। ଆ ନିୟମ ସମ୍ପର୍କିତ ନୋଟିଫିକେସନରେ ଲେଖାଅଛି ଯେ, ଏହି ଲାଇସେନ୍ସରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଅଧିକାର ଆମ ସେବାଗୁଡ଼ିକୁ ସଞ୍ଚାଳନ ଓ ଉପଲବ୍ଧ କରାଇବାର ସୀମିତ ଉଦ୍ଦେଶ୍ୟ ଲାଗି ଉଦ୍ଦିଷ୍ଟ। ଏଥିସହ ଫେସବୁକ୍ ବ୍ୟବସାୟ ପାଇଁ ଆପଣଙ୍କ ଚାଟଗୁଡ଼ିକୁ କିପରି ଷ୍ଟୋର ଓ ପରିଚାଳନା କରିବ ସେ ବିଷୟରେ ମଧ୍ୟ ନୋଟିଫିକେସନରେ ଉଲ୍ଲେଖ ରହିଛି।ହ୍ୱାଟସଆପ୍ ନିଜର ନିୟମାବଳୀରେ ପରିବର୍ତ୍ତନ ଆଣିବା ପାଇଁ ବହୁ ପୂର୍ବରୁ ଆଲୋଚନା କରିଆସୁଛି। ପୂର୍ବରୁ ଫେସବୁକ ସହ ହ୍ୱାଟସଆପ୍ ବ୍ୟବହାରକାରୀଙ୍କ ତଥ୍ୟ ବାଣ୍ଟିବାକୁ କମ୍ପାନି ଏକ ନୀତି ମଧ୍ୟ ଆଣିଥିଲା। କିନ୍ତୁ ଏହାକୁ ନେଇ ସେତେବେଳେ ବିବାଦ ଦେଖାଦେଇଥିଲା। ପରେ ଫେସବୁକ ହ୍ୱାଟସଆପକୁ ନିଜ ସହ ମିଶାଇବା ପରେ ସ୍ୱତନ୍ତ୍ର ଡାଟା ସେୟାରିଂ ପଲିସି ଆଣିଥିଲା।

Comment