ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟିକାକରଣ ପାଇଁ ଆଜି ହେବ ଡ୍ରାଏ ରନ୍। ହରିୟାଣା, ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ଅଞ୍ଚଳରେ ଡ୍ରାଏ ରନ୍ ବ୍ୟବସ୍ଥା ପୁଣିଥରେ ହେବ ବୋଲି ଗୁରୁବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ଗତକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଥିଲେ। ଟିକାକରଣ ଆରମ୍ଭ ହେଲେ ଏହାକୁ କିପରି ଭାବେ ଲୋକମାନଙ୍କୁ ଦିଆଯିବ ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ମାତ୍ର ୩ଟି ରାଜ୍ୟକୁ ଛାଡ଼ି ଅନ୍ୟ ଅଞ୍ଚଳରେ ପୁଣିଥରେ ଡ୍ରାଏ ରନ୍ ଅଭିଯାନ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

ଭାରତରେ ଏବେ ୩୦ଟି ଟିକା ନିର୍ମାତା କମ୍ପାନି କାମ କରୁଛନ୍ତି। ତା’ଭିତରୁ ୭ଟି କମ୍ପାନି ଟ୍ରାଏଲ୍ ଫେଜରେ ରହିଛନ୍ତି। ଅନ୍ୟପଟେ ଡିସିଜିଆଇ ୨ଟି କୋଭିଡ୍ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିବାରୁ ଖୁବଶୀଘ୍ର ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି।ଦୁଇଥର ହେଲାଣି ଡ୍ରାଏ ରନ୍

ଟିକାକରଣ ପ୍ରକ୍ରିୟା କିପରି ହେବ ସେନେଇ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବଗତ କରାଇବାକୁ ଏହି ଡ୍ରାଏ ରନ୍ ବ୍ୟବସ୍ଥା କରାଯାଉଛି। ଗତ ଡିସେମ୍ବର ୨୮ ଓ ୨୯ ତାରିଖରେ ଦେଶର ୪ଟି ରାଜ୍ୟରେ ଏହା କରାଯାଇଥିଲା। ଏହାପରେ ଜାନୁଆରି ୨ ତାରିଖରେ ଭାରତର ସବୁ ରାଜ୍ୟରେ ଏହା ଆରମ୍ଭ କରାଯାଇଥିଲା। ଓଡ଼ିଶାର ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ କ୍ୟାପିଟାଲ ହସ୍ପିଟାଲରେ ଡ୍ରାଏ ରନ୍ ବ୍ୟବସ୍ଥା କରାଯାଇଥିଲା। ଯେଉଁଥିରେ ସ୍ୱାସ୍ଥ୍ୟ କର୍ମୀମାନେ କିପରି ଟିକାକରଣ କରିବେ ତା’ର ଅଭ୍ୟାସ କରିଥିଲେ। ଆଜି ଏହା ପୁଣିଥରେ ସାରା ଦେଶରେ କରାଯିବ।କୋଭାକ୍ସିନ ଓ କୋଭିସିଲ୍ଡକୁ ମିଳିଛି ଅନୁମତି

ଭାରତରେ ଏବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛନ୍ତି। ଟିକା ଦର ଧାର୍ଯ୍ୟ ହୋଇଗଲେ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୩୦ କୋଟି ଲୋକଙ୍କର ଟିକାକରଣ ହେବ। ତେବେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର କୋଭିଡ୍ ଯୋଦ୍ଧାମାନଙ୍କୁ କରୋନା ଟିକା ଦିଆଯିବ। ଏହାପରେ ବୃଦ୍ଧ ଓ ଅନ୍ୟ ସାଧାରଣ ଲୋକଙ୍କୁ କୋଭିଡ୍ ଟିକା ଦିଆଯିବ ବୋଲି କୁହାଯାଇଛି।

Comment