ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଟିକାରଣରେ ବ୍ୟବହୃତ ହେବାକୁ ଥିବା ଟିକା କେତେ ଫଳପ୍ରଦ ହେବ ସେନେଇ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡାଙ୍କ ଗୁରୁତ୍ଵପୂର୍ଣ୍ଣ ସୂଚନା।

କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଏବେ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସବୁ ରାଜ୍ୟରେ ଡ୍ରାଏ ରନ୍ ବା ଡେମୋ ଟିକାକରଣ ଶେଷ ହୋଇଛି। ଦୁଇଟି ଦେଶୀୟ କୋଭାକ୍ସିନ ଏବଂ କୋଭିସିଲ୍ଡକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମଧ୍ୟ ମିଳିସାରିଛି। ତେବେ ଏହି ଟିକା କେତେ ସୁରକ୍ଷିତ? ଅନ୍ୟ ଦେଶର ଟିକା ଭାରତର ଟିକା ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି, ଏଭଳି ପ୍ରଶ୍ନ ଏବେ ସାଧାରଣରେ ସୃଷ୍ଟି ହୋଇଛି। ସୋମବାର ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଥିବା ଆଲୋଚନାଚକ୍ରରେ ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା ଏହିସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି।ଫଳପ୍ରଦ ହେବ କରୋନା ଟିକା?

ଟିକାକରଣରେ ବ୍ୟବହାର ହେବାକୁ ଥିବା ଦୁଇଟି ଦେଶୀୟ ଟିକା କେତେ ସୁରକ୍ଷିତ ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏହି ପ୍ରଶ୍ନର ଉତ୍ତର ରଖି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ସିରମ ଇନଷ୍ଟିଚ୍ୟୁଟ ଦ୍ଵାରା ପ୍ରସ୍ତୁତ କୋଭିସିଲ୍ଡ ଏବଂ ଭାରତ ବାୟୋଟେକ୍ ଦ୍ଵାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାକୁ ବ୍ୟହାର ପାଇଁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ) ସବୁଜ ସଙ୍କେତ ଦେଇଛନ୍ତି। ଟିକାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା କରାଯାଇ ଏହା ଶତ ପ୍ରତିଶତ ବ୍ୟବହାର ଉପଯୋଗୀ ଏବଂ ସୁରକ୍ଷିତ ପ୍ରମାଣ ହେବା ପରେ ହିଁ ଡିଜିସିଆଇ ଏହି ଅନୁମତି ଦେଇଛନ୍ତି। ତେଣୁ ଟିକାକରଣରେ ବ୍ୟବହୃତ ହେବାକୁ ଥିବା ଦୁଇଟି ଟିକା ସଂପୂର୍ଣ୍ଣ ସୁରକ୍ଷିତ ଅଟେ।ବିଦେଶୀ ଟିକା ଏବଂ ଦେଶୀୟ ଟିକା ମଧ୍ୟରେ ପାର୍ଥକ୍ୟ

ବିଶ୍ଵରେ ଏବେ ଅନେକ ଟିକାକୁ ବ୍ୟବହାର ପାଇଁ ସଂପୃକ୍ତ ଦେଶମାନେ ଅନୁମତି ଦେଇ ସାରିଛନ୍ତି। ଆମେରିକାରେ ଫାଇଜର, ବ୍ରିଟେନରେ ମର୍ଡନା, କୋଭିସିଲ୍ଡ,, ଫାଇଜର, ରୁଷିଆରେ ସ୍ପୁଟନିକ୍ ଭି ଏବଂ ଭାରତରେ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକାକୁ ବ୍ୟବହାର ପାଇଁ ସବୁଜ ସଙ୍କେତ ମିଳିସାରିଛି। ତେବେ ବିଦେଶୀ ଏବଂ ଦେଶୀୟ ଟିକା ମଧ୍ୟରେ କ’ଣ ପାର୍ଥକ୍ୟ ରହିଛିର ଉତ୍ତରରେ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି ଯେ, ଦେଶର ଜଳବାୟୁ, ଲୋକଙ୍କ ଶରୀରର ତାପମାତ୍ରାକୁ ଆଧାର କରି ଟିକା ପ୍ରସ୍ତୁତ କରାଯାଇଛି। ତେଣୁ ଏହି ସମସ୍ତ ଟିକା ଲୋକଙ୍କ ଶରୀର ଉପଯୋଗୀ ଅଟେ। କେବଳ ଏତିକି ପାର୍ଥକ୍ୟ ହେଉଛି, ଯେଉଁ ସ୍ଥାନର ଜଳବାୟୁ ଅନୁସାରେ ଟିକା ପ୍ରସ୍ତୁତ ହୋଇଛି, କେବଳ ସେହି ସ୍ଥାନର ଲୋକମାନେ ହିଁ ସେହି ଟିକା ନେଲେ ତାହା ଫଳପ୍ରଦ ହେବ।୨୮ ଦିନ ପରେ ଦ୍ଵିତୀୟ ଡୋଜ୍

ଟିକାର ପ୍ରଥମ ଡୋଜ୍ ନେବାର ୨୮ ଦିନ ବ୍ୟବଧାନ ପରେ ଦ୍ଵିତୀୟ ଡୋଜ୍ ନେବାକୁ ପରାମର୍ଣ ଦେଇଛନ୍ତି ସ୍ଵାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା। ଏଥିସହ ପ୍ରଥମ ଡୋଜ୍‌ରେ ଯେଉଁ ଟିକା ନେଇଥିବେ ୨୮ ଦିନ ପରେ ଦ୍ଵିତୀୟ ପର୍ୟ୍ୟାୟରେ ମଧ୍ୟ ସେହି ଟିକାର ଡୋଜ୍ ନେବାକୁ ବାଧ୍ୟ। ଉଦାହରଣ – ଯଦି ଜଣେ ବ୍ୟକ୍ତି ପ୍ରଥମ ପର୍ୟ୍ୟାୟ ଟିକାକରଣରେ କୋଭାକ୍ସିନ ଟିକାର ଏକ ଡୋଜ୍ ନେଇଥିବେ, ତେବେ ୨୮ ଦିନ ପରେ ସେ ସମାନ କୋଭାକ୍ସିନ ଟିକାର ହିଁ ଆଉ ଏକ ଡୋଜ୍ ନେବେ। ଏପରି କରିବା ଦ୍ଵାରା ଟିକା ମନୁଷ୍ୟ ଶରୀରରେ ଫଳପ୍ରଦ ହେବ।

Comment