ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀପ ରାୟ ପୁଣି ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି। 

ପୁଣିଥରେ ସକ୍ରିୟ ରାଜନୀତିକୁ ଫେରିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଉରକେଲା ବିଧାୟକ ଦିଲ୍ଲୀପ ରାୟ। ଜନ୍ମଦିନ ଅବସରରେ ରାଜ୍ୟରେ ତାଙ୍କର ମାଳ ମାଳ ପୋଷ୍ଟର ଦେଖି ରାଜନୀତି କରିଡ଼ରରେ ଏଭଳି କିଛି ଚର୍ଚ୍ଚା ଏବେ ଦାନା ବାନ୍ଧିଛି। କୁହାଯାଉଛି ଖୁବଶୀଘ୍ର ଦିଲ୍ଲୀପ ରାଜନୀତିକୁ କମବ୍ୟାକ୍ କରିବା ସହିତ କୌଣସି ଏକ ଦଳରେ ସାମିଲ ହୋଇପାରନ୍ତି।

୨୦୧୯ ନିର୍ବାଚନ ପରଠାରୁ ଦିଲ୍ଲୀପ ରାଜନୀତିରେ ସକ୍ରିୟ ନାହାନ୍ତି। ବିଜେଡିରୁ ବାହାରିବା ପରେ ବିଜେପିକୁ ମଧ୍ୟ ସେ ବାଏ ବାଏ କହିସାରିଛନ୍ତି; ହେଲେ ହଠାତ୍ ତାଙ୍କ ଜନ୍ମ ଦିନରେ ଏତେ ସଂଖ୍ୟାରେ ପୋଷ୍ଟର ଦେଖିବାକୁ ମିଳିବା ତାଙ୍କ କମବ୍ୟାକ୍ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ଏପଟେ ଦିଲ୍ଲୀପଙ୍କ ଜନ୍ମଦିନରେ ତାଙ୍କ ରାଜନୈତିକ ସଚିବ ଦୁର୍ଗାପ୍ରସାଦ ମହାନ୍ତି ସମ୍ବାଦପତ୍ରରେ ଯେଉଁ ସ୍ୱତନ୍ତ୍ର ଲେଖା ଲେଖିଛନ୍ତି ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ରାଜ୍ୟରେ ଆଗକୁ ପୌର ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନରେ ରାଜ୍ୟର ପ୍ରମୁଖ ୫ଟି ମହାନଗର ନିଗମକୁ ହାତେଇବାକୁ ଶାସକ ଦଳ ବିଜେଡି ଲକ୍ଷ୍ୟ ରଖିଛି। ହେଲେ ରାଉରକେଲା ମହାନଗର ନିଗମକୁ ବିଜେଡି ଏକାକି ହାତେଇବା କଷ୍ଟକର ହୋଇପାରେ ବୋଲି କୁହାଯାଉଛି। ଯେଉଁ କାରଣରୁ ଦିଲ୍ଲୀପଙ୍କ ସହ ହାତ ମିଶେଇ ଦଳ ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରୁଛନ୍ତି।ଏପଟେ ବିଜେପିକୁ ବାଏ ବାଏ କହିବା ପରେ ଦିଲ୍ଲୀପ ପୁଣି ନିଜର ପୁରୁଣା ଦଳ ବିଜେଡିକୁ ଫେରିବେ ବୋଲି ବହୁ ବର୍ଷ ହେଲା ଚର୍ଚ୍ଚା ହେଉଛି। ତାଙ୍କର ରାଜନୈତିକ ସଚିବ ଦୁର୍ଗା ପ୍ରସାଦ ମହାନ୍ତି ସମ୍ବାଦପତ୍ରରେ ଲେଖିଥିବା ସ୍ୱତନ୍ତ୍ର ଲେଖା ମଧ୍ୟ ଏହାର କିଛି ଆଭାସ୍ ଦେଉଛି। କିଭଳି ଭାବେ ବିଜେପି ଦିଲ୍ଲୀପଙ୍କ ପ୍ରତି ଅସହିଷ୍ଣୁ ହୋଇ ତାଙ୍କୁ କୋଇଲା ଦୁର୍ନୀତିରେ ଫସେଇଛି ସେନେଇ ସେ ସମ୍ବାଦପତ୍ରରେ ଲେଖିଛନ୍ତି। ଏହାସହ ରାଉରକେଲାରେ ହକି ଷ୍ଟାଡିୟମ ଏବଂ ମେଡିକାଲ୍ କଲେଜ ସ୍ଥାପନ କରି ନବୀନ, ଦିଲ୍ଲୀପଙ୍କ ପୂର୍ବ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଆଗକୁ ରାଉରକେଲାରେ ହକି ବିଶ୍ୱକପ ମଧ୍ୟ ହେବାକୁ ଅଛି ବୋଲି କହି ସେ ରାଜ୍ୟ ସରକାରଙ୍କୁ ପ୍ରଂଶସା କରିଛନ୍ତି। ଯାହା ପରୋକ୍ଷରେ ବିଜେଡିକୁ ଦିଲ୍ଲୀପଙ୍କ କମବ୍ୟାକ୍ ଚର୍ଚ୍ଚାକୁ ଆହୁରି ମଜଭୁତ୍ କରିଛି।

ଗତ ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ଏହାର ସୁରାକ୍ ମିଳିଥିଲା। ଦିଲ୍ଲୀପ ଖୋଦ୍ ନିଜେ ଯାଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ସେ ରାଜନୀତିକୁ ଫେରିବା ସହିତ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ିବେ ବୋଲି କୁହାଗଲା, ହେଲେ ସେମିତି କିଛି ହୋଇନଥିଲା। ଦିଲ୍ଲୀପ ମଧ୍ୟ ଏହାପରେ ରାଜନୀତିଠୁ ଦୂରରେ ଥିଲେ। ଏବେ କିନ୍ତୁ ଏହି ଚର୍ଚ୍ଚା ଏବେ ପୁଣି ଚର୍ଚ୍ଚାରେ।

ରାଜ୍ୟ ରାଜନୀତିରେ ଜଣେ ଜଣାଶୁଣା ଚେହେରା ହେଉଛନ୍ତି ଦିଲ୍ଲୀପ ରାୟ। ବିଜେଡିର ଗଠନରେ ମଧ୍ୟ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ହେଲେ ବିଜୟ ମହାପାତ୍ର ଓ ସେ ଦୁହେଁ ଆଗ ପଛ ହୋଇ ଦଳରୁ ବିଦା ହୋଇଥିଲେ। ଏହାପରେ ଦୁଇ ନେତା ବିଜେପିର ହାତ ଧରିଥିଲେ। ୨୦୧୪ରେ ଦିଲ୍ଲୀପ ବିଜେପି ଟିକେଟରୁ ବିଧାୟକ ମଧ୍ୟ ହୋଇଥିଲେ। ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କୁ ହରାଇ ସେ ୨୦୧୪ ମସିହାରେ ରାଉରକେଲା ନିର୍ବାଚନ ମଣ୍ଡଳୀର ବିଧାୟକ ହୋଇଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ କିନ୍ତୁ ବିଜେପିରେ ଅସହଜ ମନେ କରି ଦିଲ୍ଲୀପ ଇସ୍ତଫା ଦେଇଥିଲେ। ତେଣୁ ସେ ପୁଣି ଏବେ ବିଜେପିକୁ ରିଟର୍ଣ୍ଣ କରିବେନି ବୋଲି କୁହାଯାଉଛି।

ଦିଲ୍ଲୀପ ରାୟ ଆରମ୍ଭରୁ ହିଁ ଅଣ କଂଗ୍ରେସ ରାଜନୀତିରେ ରହିଆସିଛନ୍ତି। ବିଜେଡିରୁ ବିତାଡିତ ହେଲା ପରେ ବି ସେ କଂଗ୍ରେସ ନଯାଇ ବିଜେପିକୁ ବାଛିଥିଲେ। ଏପରି ସ୍ଥିତିରେ ସେ ଏବେ କଂଗ୍ରେସରେ ସାମିଲ ହେବାର ମଧ୍ୟ ସେଭଳି କୌଣସି ସମ୍ଭାବନା ନାହିଁ। ଏମିତିରେ ବି କେନ୍ଦ୍ର ଓ ରାଜ୍ୟରେ ଏବେ କଂଗ୍ରେସର ସ୍ଥିତି ଶୋଚନୀୟ। ଏପରି ସ୍ଥିତିରେ ଦିଲ୍ଲୀପ ରାୟ କଂଗ୍ରେସ, ବିଜେପି ଛଡ଼ା କେଉଁ ଦଳରେ ସାମିଲ ହେଉଛନ୍ତି ତାହା ଦେଖିବା ବାକି ରହିଲା।

Comment