ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲା। ସବୁଜ ଘଞ୍ଚ ଜିଲ୍ଲା ଏହି ଅଞ୍ଚଳକୁ ଆହୁରି ମନଲୋଭା କରିଦିଏ। ଏଠାକାର ବିଭିନ୍ନ ସୁନ୍ଦର ସୁନ୍ଦର ପର୍ଯ୍ୟଟନସ୍ଥଳୀ ରାଜ୍ୟର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କ ଟାଣି ଆଣିଥାଏ। ଏହାର ସୁନ୍ଦରତା ପର୍ଯ୍ୟଟକଙ୍କୁ ଏଠାରେ ଘଡ଼ିଏ ବାନ୍ଧି ରଖିବାକୁ ବେଶ ସକ୍ଷମ ହୋଇଥାଏ।

ମା’ ଅମ୍ବିକା ମନ୍ଦିର

ମା’ ଅମ୍ବିକା ହେଉଛନ୍ତି ମୟୂରଭଞ୍ଜ, ବାରିପଦାର ଅଧିଷ୍ଠାତ୍ରୀ ଦେବୀ। ମୟୂରଭଞ୍ଜ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଭକ୍ତମାନେ ଏଠାକୁ ପୂଜା କରିବାକୁ ଆସନ୍ତି। ମା’ ଅମ୍ବିକାଙ୍କ ପୀଠରେ ବିଭିନ୍ନ ପର୍ବ ପର୍ବାଣୀ ଯଥା ଶାରଦୀୟ ଦୁର୍ଗାପୂଜା, ବାସନ୍ତୀ ପୂଜା , ପଣାସଂକ୍ରାନ୍ତି , ରଜସଂକ୍ରାନ୍ତି, ମକର ସଂକ୍ରାନ୍ତି ଆଦି ଧୁମଧାମରେ ପାଳିତ ହୁଏ।

ଜଗନ୍ନାଥ ମନ୍ଦିର

ବାରିପଦାରେ ଥିବା ଜଗନ୍ନାଥ ମନ୍ଦିର ବି ବେଶ ପ୍ରସିଦ୍ଧି ହାସଲ କରିଛି। ବହୁ ଦୂର ଦୂରାନ୍ତରରୁ ଲୋକ ଏଠାକୁ ଆସନ୍ତୁ। ପୁରୀରେ ରଥଯାତ୍ରା ହେବା ସମୟରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରାର ଏକ ବିଶେଷତ୍ୱ ହେଉଛି ଯେ, କେବଳ ମହିଳାମାନେ ହିଁ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିଥାନ୍ତି।

ଶିମିଳିପାଳ

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ବେଶ୍‌ ଖ୍ୟାତି ଅର୍ଜନ କରିଛି। ସବୁଜ ବନାନୀ, ପର୍ବତ, କଳ କଳ ନାଦ କରି ବହି ଯାଉଥିବା ଝରଣା ଏଠାରେ ଏକ ମନୋରମ ପରିବେଶ ସୃଷ୍ଟି କରିଥାଏ। ଶିମିଳିପାଳର ଖୈରିବୁରୁ, ମେଘାସନୀ ପର୍ବତ, ବରେହିପାଣି ଏବଂ ଯୋରନ୍ଦା ଜଳପ୍ରପାତ ପର୍ଯ୍ୟଟକଙ୍କ ମନ ମୋହିଥାଏ। ଏହାର ସୌନ୍ଦର୍ଯ୍ୟକୁ ଦେଖି ୨୦୦୯ ମସିହାରେ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ମାନ୍ୟତା ମଧ୍ୟ ପ୍ରଦାନ କରିସାରିଛି।

ଦେବକୁଣ୍ଡ

ଦେବକୁଣ୍ଡ ଏକ ମନୋରମ ଓ ଦର୍ଶନୀୟ ସ୍ଥାନ। ଦେବକୁଣ୍ଡ ଏଠାରେ ଥିବା ଏକ ଝରଣା ପାଇଁ ପ୍ରସିଦ୍ଧ। ଦେବକୁଣ୍ଡର ଅର୍ଥ ହେଉଛି ଦେବା ଦେବୀଙ୍କର ସ୍ନାନ କୁଣ୍ଡ। ଏହି କୁଣ୍ଡର ପାଣି ସ୍ପର୍ଶ କଲେ ସବୁ ପାପ କ୍ଷୟ ହୁଏ ବୋଲି କୁହାଯାଏ।

ଭୀମକୁଣ୍ଡ

ମୟୂରଭଞ୍ଜ ଠାକୁରମୁଣ୍ଡା ଥାନା ଅଧୀନରେ ଥିବା ବୁରିଙ୍ଗ ଗ୍ରାମ ନିକଟରେ ବୈତରଣୀ ନଦୀରେ ପବିତ୍ର ଭୀମକୁଣ୍ଡ ରହିଛି। ଏହି ସ୍ଥାନଟି କେନ୍ଦୁଝର ଓ ପାଣିକୋଇଲିକୁ ସଂଯୁକ୍ତ କରୁଥିବା ରାଜ୍ୟ ରାଜପଥଠାରୁ ୨୦ କି.ମି ଦୂରରେ ଅଛି। ମକର ସଂକ୍ରାନ୍ତି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ଏହି ପବିତ୍ର କୁଣ୍ଡରେ ବୁଡ଼ ପକାଇ ଥାଆନ୍ତି।

ରାମତୀର୍ଥ

ଏହା ମୟୂରଭଞ୍ଜ ଜିଲ୍ଲାର ଏକମାତ୍ର କୁମ୍ଭୀର ପ୍ରଜନନ କେନ୍ଦ୍ର ଅଟେ, ଯାହାକି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଥାଏ। ରାମତୀର୍ଥ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ରାମ ମନ୍ଦିର ପାଇଁ ପ୍ରସିଦ୍ଧ। କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ଶ୍ରୀରାମ, ମାତା ସୀତା ଓ ଅନୁଜ ଲକ୍ଷ୍ମଣଙ୍କ ସହିତ ଶିମିଳିପାଳ ମଧ୍ୟ ଦେଇ ଯାଉଥିବା ସମୟରେ କ୍ଲାନ୍ତ ବଶତଃ ମାତା ସୀତା କିଛି ସମୟ ପାଇଁ ଏଠାରେ ଅବସ୍ଥାନ କରିଥିଲେ ଓ ବହିଯାଉଥିବା ନଦୀରେ ମୁହଁ ଧୋଇଥିଲେ। ସେହିଦିନଠାରୁ ପ୍ରଭୁ ରାମ ଓ ଦେବୀ ସୀତାଙ୍କ ନାମ ଅନୁସାରେ ଏହି ସ୍ଥାନ ଟି ‘ରାମତୀର୍ଥ’ ନାମରେ ପରିଚିତ।

କେମିତି ପହଞ୍ଚିବେ?  

ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଭୁବନେଶ୍ୱରଠାରୁ ୨୫୦ କି.ମି ଦୂରରେ। ଏସ୍ଥାନଗୁଡିକୁ ନିୟମିତ ବସ ଚଳାଚଳ କରିଥାଏ, ଏହାଛଡା କାର ଓ ଜିପ ସାହାଯ୍ୟରେ ମଧ୍ୟ ଯାଇହେବ। ଯଦି ଆପଣ ଟ୍ରେନରେ ଯାଉଥିବେ ତେବେ ନିକଟତମ ରେଳ ଷ୍ଟେସନ ବାରିପଦାରେ ଓହ୍ଲାଇ ପାରିବେ।

Comment