ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍-୧୯ ଟିକାକରଣ ବିଷୟରେ ସାଧାରଣ ଲୋକଙ୍କ ମନକୁ ଆସୁଥିବା କିଛି ପ୍ରଶ୍ନର ଉତ୍ତର ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଏହି ଟିକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରଦ ବୋଲି କୁହାଯାଇଛି। ଏହାସହିତ ଟିକା ନେବା ପରେ ମଧ୍ୟ କୋଭିଡ୍ ନିୟମାବଳୀଗୁଡ଼ିକର କଡ଼ା ଅନୁପାଳନ ଜାରି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି।

କମ୍‌ ଦିନ ମଧ୍ୟରେ ତିଆରି ହୋଇଥିବା ଟିକା ନିରାପଦ କି?

ଦେଶର ନିୟାମକ ଓ ନିୟନ୍ତ୍ରକ ଦଳ ଏହାର ବୈଜ୍ଞାନିକ ପରୀକ୍ଷା ନୀରିକ୍ଷା କରି ଅନୁମତି ଦେବା ପରେ ଟିକା ବ୍ୟବହାର ପାଇଁ ଅଣାଯାଇଛି। ତେଣୁ ଏହା ନିରାପଦ ଓ ଫଳପ୍ରଦ।

ଟିକା ନେବା ବାଧ୍ୟତାମୂଳକ କି?

ଏହା ଇଚ୍ଛାଧୀନ। କିନ୍ତୁ ନିଜକୁ କୋଭିଡ ସଂକ୍ରମଣଣୁ ସୁରକ୍ଷିତ ରଖିବାକୁ, କୋଭିଡ ସଂକ୍ରମଣ ରୋକିବାକୁ ଟିକା ନେବା ଦରକାର।

ଟିକା ସମସ୍ତଙ୍କୁ ଏକା ସମୟରେ ଦିଆଯିବ କି?

ଏହା ପର୍ଯ୍ୟାୟ କ୍ରମେ ଦିଆଯିବ। ଯେଉଁମାନେ ସଂକ୍ରମିତ ରୋଗୀମାନଙ୍କର ସିଧାସଳଖ ସଂସ୍ପର୍ଶରେ ଆସୁଛନ୍ତି କିମ୍ବା ଯେଉଁମାନଙ୍କର ଅନ୍ୟ କେତେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି, ସେମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ସବୁଠାରୁ ଅଧିକ। ତେଣୁ ସେହିଭଳି ବ୍ୟକ୍ତିମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦେବାକୁ ନିଷ୍ପତ୍ତି ହୋଇଛି। ଏହି ବ୍ୟକ୍ତିମାନେ ହେଲେ,

-ସ୍ୱାସ୍ଥ୍ୟ ସେବା ପ୍ରଦାନାକାରୀ, ଆଗଧାଡ଼ିର କର୍ମଚାରୀ

-୫୦ ବର୍ଷରୁ ଅଧିକ ବୟସର କିମ୍ବା ଅନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତି

ଅନେକ ଟିକା ଉପଲବ୍ଧ ହୋଇଥିବା ବେଳେ କେଉଁ ଟିକା ବ୍ୟବହାର କରାଯିବ, ତାହା କିଏ ସ୍ଥିର କରୁଛି?

ଜାତୀୟ ଔଷଧ ନିୟନ୍ତ୍ରକ ସଂସ୍ଥା ପ୍ରତ୍ୟେକ ଟିକାର ନିରାପତ୍ତା, ଓଷଧୀୟ ଉପକାରିତା ଓ କାର୍ଯ୍ୟକାରିତା ଆଦିକୁ ବୈଜ୍ଞାନିକ ପଦ୍ଧତିରେ ଭଲ ଭାବେ ଯାଞ୍ଚ କରନ୍ତି। ଯେଉଁ ଟିକା ଲୋକଙ୍କୁ ସୁହାଇବ ଓ ଲାଭଦାୟକ ହେବ ତାହାକୁ ବିଚାରକୁ ନେଇ ଟିକା ବଛା ଯାଏ। କିନ୍ତୁ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଯେଉଁ ବ୍ୟକ୍ତିଙ୍କୁ ପ୍ରଥମ ଯେଉଁ କମ୍ପାନିର ଟିକା ଦିଆଯାଇଥିବ ଦ୍ୱିତୀୟ ଡୋଜ ବି ସେହି କମ୍ପାନିର ଦିଆଯିବ।

ପଞ୍ଜିକରଣ ପାଇଁ କେଉଁ ପରିଚୟ ପତ୍ର ଆବଶ୍ୟକ?

ଟିକା ନେବା ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ। ଏଥିପାଇଁ ହିତାଧିକାରୀଙ୍କୁ ପରିଚୟ ପତ୍ର ଦେଖାଇବାକୁ ପଡ଼ିବ। ଏହି ପରିଚୟ ପତ୍ରରେ ରହିଛି ଆଧାରକାର୍ଡ,  ଡ୍ରାଇଭିଂ ଲାଇସେନ୍ସ, ଭୋଟ ପରିଚୟ ପତ୍ର, ପାସପୋର୍ଟ, ପେନସନ କାଗଜ, ସ୍ୱାସ୍ଥ୍ୟ ବୀମା କାର୍ଡ, ମନରେଗା କାର୍ଡ, ବ୍ୟାଙ୍କ, ପୋଷ୍ଟ ଅଫିସ ପାସବୁକ।

ଟିକା ନେଇସାରିବା ପରେ ହିତାଧିକାରୀଙ୍କ ପ୍ରମାଣ ମିଳିବ କି?

ହଁ, ଦୁଇଟି ଯାକ ଡୋଜ୍‌ ନେଇସାରିବା ପରେ ହିତାଧିକାରୀଙ୍କୁ ଏକ ପ୍ରମାଣ ପତ୍ର ଦେବାର ଆବଶ୍ୟକତା ରହିଛି।

କୋଭିଡ ଟିକାର ପାର୍ଶ୍ୱ ପ୍ରତିକ୍ରିୟା ଅଛି କି?

ଅନେକ ପରୀକ୍ଷା, ନିରୀକ୍ଷା ପରେ ହିଁ ଏହି ଟିକାକୁ ବ୍ୟବହାର କରାଯାଉଛି। ଅନ୍ୟ ସମସ୍ତ ପ୍ରକାର ଟିକାର ଯେମିତି ଅଳ୍ପ କିଛି ପାର୍ଶ୍ୱ ପ୍ରତିକ୍ରିୟା ଦିଆଯାଏ ଏଥିରେ ମଧ୍ୟ ସେହିପରି ଅଳ୍ପ ଜ୍ୱର, ଟିକା ନେଇଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା, ଫୁଲା ଆଦି ଦେଖାଯାଇପାରେ। ତାହାର ଚିକିତ୍ସା ପାଇଁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଟିକା ନେବାର କେତେ ଦିନ ପରେ ରୋଗ ପ୍ରତିରୋଧକ ଶକ୍ତି ଉତ୍ପନ୍ନ ହେବ?

ଦ୍ୱିତୀୟ ଡୋଜ ଟିକା ନେବାର ୨ ସପ୍ତାହ ପରେ ସାଧାରଣତଃ ଉପଯୁକ୍ତ ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଶକ୍ତି ଉତ୍ପନ୍ନ ହେବ।

Comment