ଓଡ଼ିଶାଲାଇଭ୍ ବ୍ୟୁରୋ
ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬ରେ ଅତ୍ୟାଧୁନିକ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ହେବ। ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ। ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଏନେଇ ରାଜ୍ୟ ପରିବହନ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
ଏହି ଏନ୍ଏଚରେ ପ୍ରତି ୪ରୁ ୫ କିଲୋମିଟରରେ କ୍ୟାମେରା ଲାଗିବ। ଏହାଦ୍ୱାରା ଦ୍ରୁତ ଗତିରେ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କୁ ଓ ନକଲି ନମ୍ବର ପ୍ଲେଟଧାରୀଙ୍କୁ ଚିହ୍ନଟ କରାଯାଇପାରିବ ବୋଲି ସେ କହିଛନ୍ତି।
ନିୟମ କଡ଼ାକଡ଼ି କରିବାକୁ ଭେଇକିଲ ଲୋକେସନ ଟ୍ରାକିଙ୍ଗ୍ ସିଷ୍ଟମ ଲାଗୁ ହେବ। ଗାଡ଼ିର ଲୋକେସନ ଓ ଯାତ୍ରୀଙ୍କ ସୁରକ୍ଷା ଉପରେ ନଜର ରଖାଯିବ। ଏଥିପାଇଁ ୧୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କହିଛନ୍ତି ସଞ୍ଜୀବ ପଣ୍ଡା।
ଅନ୍ୟପଟେ ଆଜିଠୁ ରାଜ୍ୟରେ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ହୋଇଛି। ଏହି ଅବସରରେ ଗାଡ଼ି ଚାଳକଙ୍କ ଉଦ୍ଦେଶ୍ୟର ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଦିଆଯାଇଛି।