ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାରେ କଡ଼ାକଡ଼ି ଭାବେ ପାଳନ ହେବ ସଡ଼କ ସୁରକ୍ଷା ଆଇନ। ତା’ସହ ଜିଲ୍ଲାରେ ଖରାପ ହୋଇ ପଡ଼ିଥିବା ରାସ୍ତାର ମଧ୍ୟ ଶୀଘ୍ର ମରାମତି ହେବ। ଗୁରୁବାର ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟିର ବୈଠକରେ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାର ସମସ୍ତ ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ତୁରନ୍ତ ଚିହ୍ନଟ କରାଯିବ। ଏହି ସ୍ଥାନରେ ସ୍ପିଡ୍ ବ୍ରେକର ନିର୍ମାଣ ହେବ। ଏହାସହ ରାଇଘର, ଉମରକୋଟ, ଝରିଗାଁ ଆଦି ସ୍ଥାନରେ ଖରାପ ହୋଇ ପଡ଼ିଥିବା ରାସ୍ତାର ମଧ୍ୟ ଉନ୍ନତୀକରଣ ହେବ ବୋଲି ଜିଲ୍ଲାପାଳ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାବାଦ ଜିଲ୍ଲାବାସୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ଏହି ବୈଠକରେ ଜିଲ୍ଲାପାଳଙ୍କ ସହ ଏସପି ନିତିନ କୁସଲକର, ସିଡିଏମଓ ଶୋଭରାଣୀ ମିଶ୍ର , ରାସ୍ତା ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର , ସୁନାବେଡା ରାଜପଥ ନିର୍ବାହୀ ଯନ୍ତ୍ରୀ, ଉପଖଣ୍ଡ ପୋଲିସ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ ସଂଜୀବ ସାହୁ , ନବରଙ୍ଗପୁର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment