ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଚକିଆ ଯାନ ଆରୋହୀଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ତେବେ ଅଧିକାଂଶ ଦୁଇ ଚକିଆ ଯାନ ଆରୋହୀ କେବଳ ଭୁବନେଶ୍ଵର ସହରରେ ହେଲମେଟ୍ ପିନ୍ଧୁଥିବାବେଳେ ଜାତୀୟ କିମ୍ବା ରାଜ୍ୟ ରାଜପଥରେ ବିନା ହେଲମେଟରେ ଯାତ୍ରା କରୁଛନ୍ତି। ଫଳରେ ଦୁର୍ଘଟଣା ଘଟିଲେ ମୁଣ୍ଡରେ ଗଭୀର ଆଘାତ ଲାଗୁଛି। ଅମାନିଆଙ୍କ ପାଇଁ ପରିବହନ ଓ ସଡ଼କ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା ଆଭିମୁଖ୍ୟ ପୋଷଣ କରାଯାଉଛି। ଏହି କ୍ରମରେ  ରାଜ୍ୟ ଓ ଜାତୀୟ ପଥରେ ମଧ୍ୟ ହେଲମେଟ୍ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ବୁଧବାର ଦିନ ରାଜପଥରେ ୨,୦୭୩ ଜଣଙ୍କର ଇ-ଚାଲାଣ କଟିଥିବାବେଳେ ୪୦୦ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯାଇଛି। ଏହା ସହିତ ୭୭ଟି ଦୁଇ ଚକିଆ ଯାନ ଜବତ କରାଯାଇଛି। ନିୟମ ଉଲଂଘନକାରୀଙ୍କଠାରୁ ଦିନକରେ ୪,୩୦,୪୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି। ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଥିବା ପରିବହନ ଓ ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ଵାଳ କହିଛନ୍ତି।

ଲୋକଙ୍କୁ ସତର୍କ କରାଇବା ପାଇଁ ଅଗଷ୍ଟ ୧୬ଠାରୁ ଆରମ୍ଭ ହୋଇଥିବା ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅଗଷ୍ଟ ୩୦ ପର୍ଯ୍ୟନ୍ତ ଚାଲିବ ବୋଲି ସଞ୍ଜୟ ବିଶ୍ଵାଳ କହିଛନ୍ତି।

ସଞ୍ଜୟ ବିଶ୍ଵାଳଙ୍କ ସୂଚନାନୁସାରେ ୨୦୨୧ ମସିହାରେ ମୋଟ୍ ୧,୩୦୮ଜଣ ଦୁଇଚକିଆ ଯାନ ଆରୋହୀ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୮୬୮ ଜଣ ଚାଳକ ଥିବାବେଳେ ୪୪୦ ଜଣ ଯାନ ପଛରେ ବସି ଯାତ୍ରା କରୁଥିବା ବ୍ୟକ୍ତି ରହିଛନ୍ତି।

ସେମାନଙ୍କ ମଧ୍ୟରୁ ଅଧିକାଂଶ ଆରୋହୀ ହେଲମେଟ୍ ପିନ୍ଧିନଥିବା ନଜିର ରହିଛି। ସେହିପରି ହେଲମେଟ୍ ନପିନ୍ଧିବା କାରଣରୁ ୧,୨୦୮ ଜଣ ଗୁରୁତର ଆହତ ହୋଇଛନ୍ତି ଏବଂ ୭୪୭ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ରହିଛି।

Tags: #SpecialDrive #HelmetlessRiders #highway #SanjayBiswal #JointCommissioner #Transport #RoadSafety

Comment