ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ନବରଙ୍ଗପୁର ସହର ଭିତରକୁ ଭାରିଯାନ ମନା। ବାଇପାସ ରାସ୍ତାରେ ଯାତାୟତ କରିବ ଭାରି ଯାନବାହାନ।

ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାରେ ସଡ଼କ ସୁରକ୍ଷା ନିୟମକୁ କଡ଼ାକଡ଼ି କରିବା ସହ ଦୁର୍ଘଟଣାକୁ କିପରି ନିୟନ୍ତ୍ରିତ କରାଯିବ ସେନେଇ ପୋଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗକୁ ଦାୟିତ୍ୱ ଦିଆଯାଇଛି।

କୌଣସି ଭାରି ଯାନବାହାନ ସହର ମଧ୍ୟ ଦେଇ ପ୍ରବେଶ କରିପାରିବ ନାହିଁ ବୋଲି ଏହି ବୈଠକରେ ଘୋଷଣା କରାଯାଇଛି। ଭରି ଯାନବାହନଗୁଡ଼ିକ ବାଇପାସ୍‌ ରାସ୍ତା ଦେଇ ଯିବା ଆସିବା କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି।

ସେହିପରି ରାସ୍ତାରେ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ସମ୍ମରନିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଭଳି ସହୃଦୟ ବ୍ୟକ୍ତିଙ୍କୁ ୭ ଦିନ ମଧ୍ୟରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ୨ହଜାର ଟଙ୍କାର ଚେକ୍‌ ସହିତ ପ୍ରଶଂସା ପତ୍ର ମଧ୍ୟ ପ୍ରଦାନ କରାଯିବା ପାଇଁ ଜିଲ୍ଲାପାଳ ଅଜିତ ମିଶ୍ର ପରାମର୍ଶ ଦେଇଛନ୍ତି।

ସେହିପରି ଜିଲ୍ଲାରେ ଦୁର୍ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ସ୍ୱତନ୍ତ୍ର ଚେକ ପୋଷ୍ଟ ବ୍ୟବସ୍ଥା କରାଯିବ। ସଡ଼କ ସୁରକ୍ଷା ଉପରେ ଅଧିକ ଜନ ସଚେତନତା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ନବରଙ୍ଗପୁର ଏସ୍‌ପି ନିତିନ କୌସିଲ୍କର, ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କଅଁର, ଏମ୍‌ଭିଆଇ ସନତ କୁମାର ଜେନା, ଜିଲ୍ଲା ସୂଚନା ଅଧିକାରୀ ହଳଧର ନିଆଲ, ନବରଙ୍ଗପୁର ଥାନା ଅଧିକାରୀ ତାରିକ ଅହମ୍ମଦ, ପୌରପାଳିକା ନିର୍ବାହୀ ଅଧିକାରୀ ବିନୟ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ।

Comment