ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଗୁଲିପାଟଣା ଅଞ୍ଚଳର ଦୁଇ ବର୍ଷର ଝିଅ ହେଉଛନ୍ତି ସମ୍ପୂର୍ଣ୍ଣା। ବିସ୍ମୟ ପ୍ରତିଭା ପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି। ନିଜର ସ୍ମରଣ ଶକ୍ତି ବଳରେ ଏତେ କମ୍ ବୟସରୁ ସେ ଅନେକ କିଛି ପ୍ରଶ୍ନର ଉତ୍ତର ଦେଇପାରୁଛନ୍ତି। କୌଣସି ବସ୍ତୁର ରଙ୍ଗଠାରୁ ଆରମ୍ଭ କରି ଆକାର, ଜୀବଜନ୍ତୁର ନାମ, ପଶୁପକ୍ଷୀଙ୍କ ଶବ୍ଦ, ଭଜନ, ବିପରୀତ ଶବ୍ଦ, ଅନ୍ୟାନ୍ୟ ସଙ୍ଗୀତ ଆଦି ସମ୍ପର୍କରେ ପଚାରିଲେ ସେ ନିର୍ଭୁଲ କହିପାରୁଛନ୍ତି।

ଗୁଲିପାଟଣା ଅଞ୍ଚଳର ପୂର୍ଣ୍ଣିମା ପଟ୍ଟନାୟକ ଓ ସମୀର ଗନ୍ତାୟତଙ୍କ ଏକମାତ୍ର ଝିଅ ହେଉଛନ୍ତି ସମ୍ପୂର୍ଣ୍ଣା। ବୟସ ତାଙ୍କର ମାତ୍ର ଦୁଇ ବର୍ଷ। କୁନି ଝିଅର ସ୍ମରଣ ଶକ୍ତି ଆଗରେ ହାର ମାନିଛନ୍ତି ବୟସ୍କ। ତୁଳସୀ ଦୁଇ ପତ୍ରରୁ ବାସିଲାଭଳି ନିଜର ସ୍ମରଣ ଶକ୍ତି ପାଇଁ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ଏହି କୁନି ଝିଅ ସମ୍ପୂର୍ଣ୍ଣା।

ସମ୍ପୂର୍ଣ୍ଣାଙ୍କ ବାପା ସମୀର ଗନ୍ତାୟତ ତାଙ୍କ ସ୍ମରଣ ଶକ୍ତି ଦେଖି ଇଣ୍ଡିଆ ବୁକ ଅଫ ରେକର୍ଡସ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ଜୁନ୍ ୧୦ ତାରିଖରେ ଆବେଦନ କରିଥିଲେ। ଏଥିସହ ସମ୍ପୂର୍ଣ୍ଣାଙ୍କର ପ୍ରାୟ ୨୦ଟି ଭିଡିଓ ମଧ୍ୟ ପଠାଇଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ଏକ ଭିଡିଓ କଲ କରାଯାଇ ଶିଶୁଟିକୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସେହି ପ୍ରଶ୍ନଗୁଡ଼ିକ ମଧ୍ୟରେ ଥିଲା ୪୬ଟି ପଶୁଙ୍କ ନାମ, ୨୦ଟି ପକ୍ଷୀର ନାମ, ୧୮ ପ୍ରକାର ପରିବାର ନାମ ଇତ୍ୟାଦି ଅନେକ କିଛି। ସେ ସମସ୍ତ ପ୍ରଶ୍ନର ଉତ୍ତର ସଠିକ୍ ଭାବରେ ଦେବାପରେ ପୋଷ୍ଟାଲ ଜରିଆରେ ସମ୍ପୂର୍ଣ୍ଣାଙ୍କ ସଫଳତା ସମ୍ୱନ୍ଧୀୟ ସମସ୍ତ କାଗଜପତ୍ର ଘରେ ପହଞ୍ଚିଥିଲା।

ଝିଅ ନାଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଦେଖି ବାପା, ମା’ଙ୍କ ସମେତ ପୂରା ପରିବାର ଖୁସି ଅଛନ୍ତି। ଏଥିସହ ଦୁଇ ବର୍ଷର ଏକ କୁନି ଝିଅର ଏଭଳି ସଫଳତା ପାଇଁ ନବରଙ୍ଗପୁର ଜିଲ୍ଲା ଗୌରାବାନ୍ଵିତ ବୋଲି ଅଞ୍ଚଳରେ ଶୁଣିବାକୁ ମିଳୁଛି।

Comment