ଓଡ଼ିଶାଲାଇଭ୍ ବ୍ୟୁରୋ

କୋରାପୁଟ ଜିଲ୍ଲା ଜୟପୁର ସହର ରାଜୁ ସାହିର ଶଙ୍କର ମିଶ୍ର ଓ ମଧୁସ୍ମିତା ପାଣିଗ୍ରାହୀଙ୍କ ଝିଅ ହେଉଛନ୍ତି ଅନ୍ଵିତା ମିଶ୍ର। ବର୍ତ୍ତମାନ ଅନ୍ଵିତାଙ୍କ ବୟସ ମାତ୍ର ପାଞ୍ଚ ବର୍ଷ। ବିସ୍ମୟ ପ୍ରତିଭା ପାଇଁ ଏତେ କମ୍ ବୟସରୁ ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛି।

ଅନ୍ଵିତା ଏବେ ୟୁକେଜିରେ ପାଠ ପଢ଼ୁଛନ୍ତି। ସେ ନିଜର ସ୍ମରଣ ଶକ୍ତି ବଳରେ ବିଭିନ୍ନ ଦେଶ, ରାଜ୍ୟ ଓ ରାଜଧାନୀର ନାଁ ନିର୍ଭୁଲ ଭାବେ କହିପାରୁଛନ୍ତି। ଏମିତି କି ମାତ୍ର ୪୦ସେକେଣ୍ଡରେ ଏସିଆର ୪୮ ଦେଶ ଏବଂ ୩୪ ସେକେଣ୍ଡରେ ଭାରତର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ନାମ କହି ସେ ନିଜ ନାଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସୁନିଶ୍ଚିତ କରିପାରିଛନ୍ତି।ତୁଳସୀ ଦୁଇ ପତ୍ରରୁ ବାସିଲା ଭଳି ଅନ୍ଵିତାଙ୍କ ଏହି ବିସ୍ମୟ ପ୍ରତିଭା ଛୋଟବେଳୁ ଜଣାପଡ଼ିଥିଲା। ଜେଜେ ମା’ ପୂଜା କରୁଥିବା ସମୟରେ ଯେଉଁ ମନ୍ତ୍ର ଉଚ୍ଚାରଣ କରୁଥିଲେ ସେ ତାକୁ ମନ ରଖି ପରେ ଆବୃତ୍ତି କରୁଥିଲେ। ଝିଅର ସ୍ମରଣ ଶକ୍ତି ଦେଖି ଇଣ୍ଡିଆ ବକ୍ ଅଫ୍ ରେକର୍ଡସ ପ୍ରତିଯୋଗିତାରେ ସାମିଲ କରିବା ପାଇଁ ମା’ ମଧୁସ୍ମିତା ସମସ୍ତ ଫଟୋ ଓ ଭିଡିଓ ପଠାଇଥିଲେ।

ପରେ ଅନୁଷ୍ଠାନ ପକ୍ଷରୁ କଲ୍ କରାଯାଇ କୁନି ଝିଅକୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ସେ ସମସ୍ତ ପ୍ରଶ୍ନର ଉତ୍ତର ନିର୍ଭୁଲ ଭାବେ ଦେଇଥିଲେ। ଏବେ ତାଙ୍କ ପାଖରେ ଇଣ୍ଡିଆ ବୁକ ଅଫ୍ ରେକର୍ଡସ ସମସ୍ତ ପ୍ରମାଣପତ୍ର, ମେଡାଲ ଆସି ପହଞ୍ଚିଛି। ଛୋଟ ଝିଅର ଏଭଳି ସଫଳତାକୁ ନେଇ ପରିବାର ଲୋକଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ, ଅଞ୍ଚଳବାସୀ ବେଶ୍ ଖୁସି ଅଛନ୍ତି।

Comment