ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ାର ୧୩ ବର୍ଷୀୟ ବାଳକ ଅର୍ପିତ ମହାପାତ୍ର। ନିଜର ନିଆରା କୃତି ପାଇଁ ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ଆଖି ବନ୍ଦ କରି ପିଆନୋ ବଜାଇବାରେ ଜାତୀୟ ସ୍ତରରେ କୃତିତ୍ଵ ହାସଲ କରିଛନ୍ତି ଅର୍ପିତ। ସେ ୫୦ ମିନିଟ୍ ୩୭ ସେକେଣ୍ଡରେ ୩୫ଟି ଗୀତର ମ୍ୟୁଜିକ୍ ବଜାଇ କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇଛନ୍ତି। ଏଥିପାଇଁ ତାଙ୍କ ନାମ ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ, ଏସିଆ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି। ଏହି ସଫଳତା ପରେ ଅର୍ପିତଙ୍କ ନିକଟକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

ରାୟଗଡ଼ା ବ୍ଲକ୍ ଜେକେପୁରସ୍ଥିତ ଲକ୍ଷ୍ମୀପତ୍ ସିଙ୍ଘାନିଆ ପବ୍ଲିକ୍ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ନ୍ତି ଅର୍ପିତ। ସେ ୨୦୧୬ ମସିହାରୁ ପିଆନୋ ବଜାଇବା ନେଇ ସ୍ଵତନ୍ତ୍ର ଭାବେ ଶିକ୍ଷା ଗ୍ରହଣ କରି ଆସୁଛନ୍ତି। ଏଥିସହ ବିଭିନ୍ନ ସ୍ଥାନରେ ହେଉଥିବା ମ୍ୟୁଜିକାଲ୍ ପ୍ରତିଯୋଗିତାରେ ଭାଗ ନେଇ ଅନେକ ସଫଳତା ମଧ୍ୟ ପାଇଛନ୍ତି। ପିଆନୋକୁ ନେଇ କିଛି ନିଆରା କରିବାକୁ ଅର୍ପିତ ସ୍ଵପ୍ନ ଦେଖିଥିଲେ, ଆଉ ମହାମାରୀ କରୋନା ସମୟ ତାଙ୍କର ଏହି ସ୍ଵପ୍ନକୁ ବିଶ୍ଵାସରେ ପରିଣତ କରିବାକୁ ବାଟ ଦେଖାଇଥିଲା।କରୋନା ସଂକ୍ରମଣ ବଢ଼ିବାରୁ ସ୍କୁଲ ବନ୍ଦ ହୋଇଗଲା। ଘରେ ରହି ପିଲାମାନେ ଅନ୍‌ଲାଇନ୍‌ରେ ପାଠ ପଢ଼ିଲେ, ଆଉ ଅବସର ସମୟକୁ ଖେଳକୁଦରେ ବିତାଉଥିଲେ। ହେଲେ ଅର୍ପିତ ପାଠପଢ଼ା, ଖେଳକୁଦ ସହ ପିଆନୋ ବଜାଇବାକୁ ଗୁରୁତ୍ଵ ଦେଇଥିଲେ। ଏହି ସମୟରେ ସେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜଣେ ଆଗଧାଡ଼ିର ହାରମୋନିୟମ୍ ମାଷ୍ଟର୍ ହରିଶ୍ ପଟ୍ଟନାୟକଙ୍କଠାରୁ ସଙ୍ଗୀତର ବିଭିନ୍ନ ଶିକ୍ଷା ନେଇଥିଲେ। ତାହାକୁ ଅଭ୍ୟାସ କରି ଖୁବ୍ କମ୍ ସମୟ ମଧ୍ୟରେ ଭଲ ପ୍ରଦର୍ଶନ କରିବା ପରେ ଅନ୍‌ଲାଇନ୍‌ ଯୋଗେ ହେଉଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ମନ ବଳାଇଥିଲେ। ତେବେ ଏହି ପ୍ରତିଯୋଗିତାଗୁଡ଼ିକରେ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରୁଥିବାରୁ କିଛି ନିଆରା କରିବାର ମନୋବୃତ୍ତି ନେଇ ଆଖିରେ ପଟି ବାନ୍ଧି ପିଆନୋ ବଜାଇବା ଅଭ୍ୟାସ କରିଥିଲେ ଅର୍ପିତ।ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମରେ ପିଆନୋ ବାଦନ ଉପରେ ଗତ ଅଗଷ୍ଟ ୨୧ ତାରିଖରେ ଏକ ପ୍ରତିଯୋଗିତା ହୋଇଥିଲା। ଏଥିରେ ଅର୍ପିତ ଅଂଶଗ୍ରହଣ କରି କର୍ଣ୍ଣାଟକର ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ। କର୍ଣ୍ଣାଟକର ପ୍ରତିଯୋଗୀ ଆଖିରେ ପଟି ବାନ୍ଧି ସର୍ବାଧିକ ୪୪ ମିନିଟ୍ ୨୫ ସେକେଣ୍ଡ ପିଆନୋ ବଜାଇ ଥିବା ବେଳେ ଅର୍ପିତ ୫୦ ମିନିଟ୍ ୩୭ ସେକେଣ୍ଡ ପର୍ଯ୍ୟନ୍ତ ନନ୍‌ଷ୍ଟପ୍ ପିଆନୋ ବଜାଇ ରେକର୍ଡ କରିଥିଲେ। ଏହି ସଫଳତା ପାଇବା ପରେ ଆଗାମୀ ଦିନରେ ସଙ୍ଗୀତ କଳାରେ ଆହୁରି ନିଆରା ରେକର୍ଡ କରିବାକୁ ଆଶା ରଖିଛନ୍ତି ଅର୍ପିତ।

Comment