ଓଡ଼ିଶାଲାଇଭ୍ ବ୍ୟୁରୋ

ଡାକ୍ତରଖାନାରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ବସି ଗୀତ ଶୁଣିପାରିବେ। ଏହାସହ ଟିଭିରେ ବିଭିନ୍ନ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ପାଇପାରିବେ। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ରୋଗୀମାନଙ୍କ ପାଇଁ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଛି।

ନବରଙ୍ଗପୁର ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଏହି ବ୍ୟବସ୍ଥାକୁ ଡାକ୍ତରଖାନାରେ ଉଦଘାଟନ୍ କରିଛନ୍ତି। ଏଥିରେ ଡାକ୍ତରଖାନାରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ବିଭିନ୍ନ ସ୍ଥାନରେ ବସିବାକୁ ଚେୟାରର ସୁବିଧା କରାଯାଇଛି। ଏହାସହ ସେମାନଙ୍କ ମନୋରଞ୍ଜନ ପାଇଁ ସାଉଣ୍ଡ ସିଷ୍ଟମ ଲଗାଯାଇଛି। ଏଥିରେ ସେମାନେ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ସଙ୍ଗୀତ ଶୁଣିବାକୁ ପାଇବେ। ସେହିପରି ରୋଗୀମାନଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଏଲଇଡି ଟିଭି ଲଗାଯାଇଛି। ଏଥିରେ ରୋଗୀମାନେ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ସୂଚନା ପାଇପାରିବେ।ଏହାସହ ଡାକ୍ତରଖାନାରେ ରୋଗୀମାନେ ପହଞ୍ଚି ପ୍ରଥମେ ଟୋକନ୍ କରିବେ। ଏହାପରେ ସେ ତାଙ୍କର ନିର୍ଦ୍ଧାରିତ ସ୍ଥାନରେ ବସିରହିବେ। ମାଇକ୍ରୋଫୋନରେ ତାଙ୍କର ନାଁ ଡକାହେଲେ ସେମାନେ ଯାଇ ଡାକ୍ତରଙ୍କୁ ସାକ୍ଷାତ କରିବେ ବୋଲି ବ୍ୟବସ୍ଥା କରାଯାଇଛି।
ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନାରେ ଏହି ବ୍ୟବସ୍ଥାକୁ ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ଅଜିତ ମିଶ୍ର ସୂଚନା ଦେଇଛନ୍ତି। ଏହି କାର୍ଯ୍ୟ ଉଦଘାଟନ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଏସପି ନିତିନ କୁସଲକର, ଜିଲ୍ଲା ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ସ୍ୱାଇଁ ଓ ଜଗନ୍ନାଥ ରଥଙ୍କ ସମେତ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀମାନେ ଉପସ୍ଥିତ ରହିଥିଲେ।

Comment