ଓଡ଼ିଶାଲାଇଭ୍ ବ୍ୟୁରୋ

ରାଉରକେଲା ଉଦିତ ନଗର ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ବିଜୟେନ୍ଦ୍ରୀ ମହାନ୍ତି। ତାଙ୍କର ଲକ୍ଷ୍ୟ ହେଉଛି ଆଇଏଏସ୍ ଅଫିସର ହୋଇ ପ୍ରଶାସନିକ ସେବାରେ ସାମିଲ ହେବା। ଆଚାର୍ଯ୍ୟ ହରିହର ସରକାରୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଅର୍ପିତା ଜେନାଙ୍କ ଲକ୍ଷ୍ୟ ହେଉଛି ବୈଜ୍ଞାନିକ ହେବା। ସେହିପରି ବାସନ୍ତୀ କଲୋନୀ ସରକାରୀ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ରୀ ପ୍ରିୟଲତା ମହାପାତ୍ରଙ୍କ ଜୀବନର ସ୍ୱପ୍ନ ହେଉଛି ଜଣେ ସଫଳ ଶିକ୍ଷକ ହେବା।

ଓଡ଼ିଶାର ବିଭିନ୍ନ ସରକାରୀ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ମନରେ ସ୍ୱପ୍ନ ଓ ସମ୍ଭାବନା ସୃଷ୍ଟି କରିବା ସହ ତାକୁ ସାକାର କରିବା କ୍ଷେତ୍ରରେ ଏବେ ସହାୟକ ହେବାକୁ ଯାଉଛି ୫ଟି ଅଧୀନରେ ଆରମ୍ଭ ହୋଇଥିବା ରାଜ୍ୟ ସରକାରଙ୍କ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ମଙ୍ଗଳବାର ଦିନ ରାଉରକେଲାର ୧୦ଟି ସରକାରୀ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ସ୍କୁଲରୁ ଆସିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ସେ ଭିଡିଓ କନଫରେନ୍ସିଂ ଜରିଆରେ ସିଧାସଳଖ କଥା ହୋଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନେ ନିଜ ନିଜର ସ୍ୱପ୍ନ ବଖାଣିଥିଲେ। ସେମାନଙ୍କୁ ଶୁଣିବା ପରେ ୫ଟି ସଚିବ କହିଥିଲେ ଯେ, ‘‘ପିଲାମାନଙ୍କର ସ୍ୱପ୍ନ ସାକାର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି। ପିଲାମାନଙ୍କର ସ୍ୱପ୍ନ ପୂରଣ ହୋଇପାରିଲେ ହିଁ ନୂଆ ଓଡ଼ିଶା ଗଠନ ସମ୍ଭବ ହୋଇପାରିବ। ତେଣୁ ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତେ ମିଶି ପିଲାମାନଙ୍କ ଆଶା ଓ ସ୍ୱପ୍ନକୁ ସାକାର କରିବା ଲାଗି କ୍ଷେତ୍ର ପ୍ରସ୍ତୁତ କରିବା।’’ପ୍ରଥମ ପର୍ଯ୍ୟାୟରେ ରାଉରକେଲା ମହାନଗର ନିଗମ ଅଧୀନରେ ଥିବା ୧୦ଟି ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆଜି ଏହାର ଅଗ୍ରଗତି ସମ୍ପର୍କରେ ଆଲୋଚନା ବେଳେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀଙ୍କ ସହିତ ଅନ୍ୟମାନେ ଭିଡିଓ କନଫରେନ୍ସିଂରେ ଯୋଡ଼ି ହୋଇଥିଲେ।

‘‘୫ଟି ଅଧୀନରେ ହାଇସ୍କୁଲଗୁଡ଼ିକୁ ନୂଆ ରୂପ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଉଛି। ଏହି କାର୍ଯ୍ୟକ୍ରମ ଜରିଆରେ ସରକାରୀ ହାଇସ୍କୁଲଗୁଡ଼ିକ ନୂଆ ଉଚ୍ଚତାକୁ ଯାଇପାରିବ। ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କର ଦକ୍ଷତା ବିକାଶ ହେବା ସହିତ ସେମାନଙ୍କ ଭବିଷ୍ୟତର ସ୍ୱପ୍ନ ପୂରଣ ହୋଇପାରିବ’’, ଏହି ଅବସରରେ କହିଛନ୍ତି ରାଉରକେଲା ମହାନଗର ନିଗମ କମିସନର ଦିବ୍ୟଜ୍ୟୋତି ପରିଡ଼ା।ଏହି ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମରେ ଲାଠିକଟା ବ୍ଲକଠାରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ଲାଠିକଟା ବିଡିଓ ପ୍ରଶାନ୍ତ ତରାଇ, ରାଉରକେଲା ମହାନଗର ନିଗମର ଡେପୁଟି କମିସନର ଡକ୍ଟର ଗୌରବମୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବିଶ୍ରା ବ୍ଲକଠାରେ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକର, ରାଉରକେଲା ମହାନଗର ନିଗମର ଡେପୁଟି କମିସନର ସୁଧାଂଶୁ ଭୋଇ ଏବଂ ସୀତାଦେବୀ ମାଝି ପ୍ରମୁଖ ଭାଗ ନେଇଥିଲେ।ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲଗୁଡ଼ିକର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ, ତା’ ଉପରେ ଗୁରୁତ୍ୱ ଦିଆଯାଉଛି। ସ୍ମାର୍ଟ କ୍ଲାସରୁମ, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ଉପରେ ପ୍ରାଥମିକତା ଦିଆଯାଉଛି। ସେହିପରି ଗୋଷ୍ଠୀ ସହଭାଗିତାକୁ ଆଧାର କରି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୫-ଟି ଅଧୀନରେ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୫୦ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି। ସେଥିମଧ୍ୟରେ ରାଉରକେଲାର ୧୦ଟି ହାଇସ୍କୁଲ ରହିଛି।

Comment