ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଶପଲ୍ଲା ବିଡିଓଙ୍କ ହାତରେ ଦଣ୍ଡା। ଭିଡିଓ ଦେଖନ୍ତୁ, ଜାଣିପାରିବେ ପୂରା ଘଟଣା।

ଗତ କିଛିଦିନ ତଳ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋ’ ସରକାର ଯୋଜନାରେ ବିଭିନ୍ନ ବିଭାଗକୁ ସାମିଲ କରିଥିଲେ। ପ୍ରଶାସନିକ ଅଧିକାରୀଙ୍କୁ ଲୋକଙ୍କ ପାଖରେ ଉତ୍ତରଦାୟୀ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। ଏହି ଯୋଜନା ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଥିଲା ଏବଂ ବିଭିନ୍ନ ବର୍ଗର ଲୋକ ମଧ୍ୟ ସରକାରଙ୍କୁ ଏଥିପାଇଁ ପ୍ରଶଂସା କରିଥିଲେ। ହେଲେ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ପାଖରେ କେତେ ଉତ୍ତରଦାୟୀ ତାହା ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଗୋଟିଏ ଘଟଣାକୁ ଦେଖିଲେ ସ୍ପଷ୍ଟ ଜଣାପଡୁଛି।

ତହସିଲଦାରଙ୍କ ଉପସ୍ଥିତିରେ ଦଶପଲ୍ଲା ବିଡିଓ ନିଜେ ହାତରେ ଠେଙ୍ଗା ଧରି ଗୋଟିଏ ଗାଁରେ ପଶି ଲୋକଙ୍କୁ ମାଡ଼ ମାରି ଭୟଭୀତ କରିବା ଘଟଣା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ସବୁ ଉଦ୍ୟମ ପାଣିରେ ପଡ଼ିଯାଇଥିବା ପରି ମନେହେଉଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଛନ୍ତି। ପଞ୍ଚାୟତ ସ୍ତରରୁ ଆରମ୍ଭ କରି ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ବିଭିନ୍ନ ପଞ୍ଚାୟତରେ କ୍ୱାରେଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଛି। ଏହିକ୍ରମରେ ଦଶପଲ୍ଲା ବ୍ଲକ ତେଣ୍ଡାବାଡ଼ି ପଞ୍ଚାୟତର ସାକେଣି ଗ୍ରାମରେ ଏକ କ୍ୱରେଣ୍ଟାଇନ୍‌ ସେଣ୍ଟର ଖୋଲାଯାଇଥିଲା। ଅସବର୍ଣ୍ଣ ସାହିଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଏକ ସ୍କୁଲରେ ଏହି ସେଣ୍ଟର କରାଯାଇଥିଲା।

ଏହି ସେଣ୍ଟରରେ ବାହାରୁ ଆସିଥିବା ୧୫ ଜଣଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା। ଏହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀ ଭିତରେ ବିବାଦ ଉପୁଜିଥିବା କୁହାଯାଉଛି। ଏନେଇ କିଛି ଲୋକ ଆଶା କର୍ମୀଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଆଶା କର୍ମୀଙ୍କୁ ଦୁର୍ବ୍ୟବହାରକୁ ନେଇ ନିଜେ ଦଶପଲ୍ଲା ବିଡିଓ ଦେବୀ ପ୍ରସାଦ ମହାନ୍ତି ହାତରେ ଦଣ୍ଡା ଧରିବାକୁ ପଛାଇ ନଥିଲେ। ଦଣ୍ଡା ଧରି ଗାଁରେ ପଶି ଲୋକଙ୍କୁ ଭୟଭୀତ କରିଥିଲେ ବିଡିଓ। ଏପରିକି ଲୋକଙ୍କୁ ଘରୁ ଡାକି ନିସ୍ତୁକ ମାଡ଼ ମାରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

ଏହି ଭିଡିଓ ବିଭିନ୍ନ ମିଡିଆ କର୍ମୀଙ୍କ ହାତକୁ ଆସିବା ପରେ କିଛି ଗଣମାଧ୍ୟମରେ ଖବର ପ୍ରସାରଣ କରାଯାଇଥିଲା। ଏହି ଭିଡିଓରେ ନିଜେ ବିଡିଓ ଲୋକଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ତାଙ୍କ ସାଙ୍ଗରେ ଯାଇଥିବା କିଛି ପୋଲିସ କର୍ମୀ ମଧ୍ୟ ଲୋକଙ୍କୁ ପିଟିବାକୁ ପଛାଇ ନଥିଲେ। ବିଡିଓଙ୍କ ଏଭଳି କାର୍ଯ୍ୟକଳାପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ବିଡିଓଙ୍କ ମାଡ଼ମରା ଭିଡିଓକୁ କେହି ବାହାର ଲୋକ ରେକର୍ଡ କରିନାହାନ୍ତି। ତାଙ୍କରି ଭିତରେ ଥିବା ଜଣେ ବ୍ୟକ୍ତି ଏହି ଭିଡିଓ ରେକର୍ଡ କରିଛନ୍ତି ଏବଂ ଲୋକଙ୍କୁ ଭୟଭୀତ କରିବା ପାଇଁ ଏହି ଭିଡିଓକୁ ଛଡ଼ା ଯାଇଛି। ଭିଡିଓଟି ଏବେ ବିଭିନ୍ନ ଲୋକଙ୍କ ହାତରେ ଲାଗିଛି। ପ୍ରଶାସନର ନିୟମ ନମାନିଲେ ଲୋକଙ୍କୁ ସଚେତନ ନୁହେଁ, ସିଧା ଘରୁ ଡାକି ଆଣି ମାଡ଼ ମରାଯିବ ବୋଲି ଏକ ବାର୍ତ୍ତା ଦେଇଛି ଏହି ଭିଡିଓ।

ଏହି ଘଟଣା ସମ୍ପର୍କରେ ଜାଣିବା ପାଇଁ ଦଶପଲ୍ଲା ବିଡିଓଙ୍କ ସହ ଯୋଗାଯୋଗ କରିଥିଲେ ଗଣମାଧ୍ୟମ ପ୍ରତିନିଧି। ହେଲେ ବିଡିଓ ନିଜକୁ ବଞ୍ଚାଇବା ପାଇଁ ମନ୍ତବ୍ୟ ଦେଇଛନ୍ତି। ସେ ବିଭିନ୍ନ ମିଡିଆକୁ କହିଛନ୍ତି ଯେ, ଗ୍ରାମରେ ଦଙ୍ଗାର ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।

ଯଦି ଗ୍ରାମରେ ଦଙ୍ଗା ଆଶଙ୍କା ଥିଲା ତାହାଲେ ସଂପୃକ୍ତ ଗ୍ରାମରେ ପୋଲିସ ମୁତୟନ କରାଯିବା କଥା। ଗ୍ରାମର ଲୋକଙ୍କୁ ଡାକି ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ଆଲୋଚନା କରିପାରିଥାନ୍ତେ। ହେଲେ ତାହା ନକରି ତହସିଲଦାରଙ୍କ ଉପସ୍ଥିତି ବିଡିଓ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା କେତେଦୂର ଠିକ୍‌ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମାଡ଼ ଖାଇଥିବା ଲେକଙ୍କ ଭିତରେ ଜଣେ ଦିବ୍ୟାଙ୍ଗ ଅଛନ୍ତି। ଏନେଇ ଗ୍ରାମବାସୀ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲ୍ଲାପାଳ ଏବଂ ଏସ୍‌ପି ଏ ସମ୍ପର୍କରେ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବା ଘଟଣାକୁ ଆହୁରି ରହସ୍ୟମୟ କରିଛି। ମାଡ଼ ଖାଇଥିବା ଗ୍ରାମବାସୀମାନେ ଭୟରେ ଥାନାକୁ ଯାଇପାରୁ ନାହାନ୍ତି କି ମାମଲା ରୁଜୁ କରିପାରୁ ନାହାନ୍ତି।

ହାତରେ ଦଣ୍ଡା ଧରି ଲୋକଙ୍କୁ ନିସ୍ତୁକ ପିଟି ଆଇନକୁ ନିଜ ହାତକୁ ନେଇଥିବା ଦଶପଲ୍ଲା ବିଡିଓଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା କଥା ବୋଲି ଚର୍ଚ୍ଚା ହେଉଛି।

Comment