ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳର କଟକ ସାଂସଦ ତଥା ପ୍ରଜାତନ୍ତ୍ର ସମ୍ପାଦକ ଭର୍ତ୍ତୃହରି ମହତାବ ପୂର୍ବତନ ବିଜେଡ଼ି ସାଂସଦ ଓ ଧରିତ୍ରୀ ସମ୍ପାଦକ ତଥାଗତ ଶତପଥୀ ନେତାଜୀ ସୁଭାଷ ବୋଷଙ୍କ ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟକୁ ବିରୋଧ କରିଛନ୍ତି।

ତଥାଗତ ତାଙ୍କ କାଗଜର ଏକ ସମ୍ପାଦକୀୟ ‘ଟାଣିଆଣି ସମ୍ମାନ’ରେ ଦୁଇ ଦିନ ତଳେ ଲେଖିଥିଲେ ଯେ ‘ସବୁ ଓଡ଼ିଆ ଭାବନ୍ତି ନେତାଜୀ ସୁଭାଷ ଓଡ଼ିଆଙ୍କ ଗର୍ବ। ବାସ୍ତବିକ ମୋର ଅନୁଭବ ହେଉଛି ଯେ ନେତାଜୀ କୌଣସି ସ୍ଥାନରେ – ନା ତାଙ୍କ ଭାଷଣରେ, ଲେଖାରେ ବା ବିବୃତିରେ – ନିଜ ଜନ୍ମସ୍ଥାନ ଓଡ଼ିଶା ବୋଲି କହିଛନ୍ତି।’

ଭର୍ତ୍ତୃହରି ଏହି ସମ୍ପାଦକୀୟକୁ କଟାକ୍ଷ କରି କହିଛନ୍ତି ଯେ  ଯଦିଓ ନେତାଜୀ ଜଣେ ବଙ୍ଗାଳି, ସେ କଟକରେ ଜନ୍ମ ନେଇଥିଲେ ଏବଂ ଓଡ଼ିଆ ବଜାରରେ ସେ ତାଙ୍କର ପିଲା ବେଳ କାଟିଥିଲେ। କଟକ ରେଭେନ୍ସା କଲେଜିଏଟ ସ୍କୁଲରୁ ମାଟ୍ରିକ ପାସ କରିବା ପରେ କଲିକତାର ପ୍ରେସିଡେନ୍ସି କଲେଜରେ ପଢ଼ିଥିଲେ। ପ୍ରେସିଡେନ୍ସି କଲେଜରୁ ରସଟିକେଟ ହେବା ପରେ ସେ  କଟକ ଫେରି ଆସିଥିଲେ ଓ ଦେଢ଼ ବର୍ଷ କାଳ କଟକରେ ରହିଥିଲେ।

ତଥାଗତଙ୍କ ମନ୍ତବ୍ୟକୁ କଡ଼ା ବିରୋଧ କରି ମହତାବ ଏକଥା ମଧ୍ୟ କହିଛନ୍ତି ଯେ ଓଡ଼ିଆ ବଜାରରେ ସେ ଓଡ଼ିଆଙ୍କ ସହ ବରାବର ମିଶୁଥିଲେ। ଖାଲି ସେତିକି ନୁହେଁ, ମରୁଡ଼ି ବେଳେ ସେ ଯାଜପୁର ଓ ସାଲେପୁର ଯାଇ ଓଡ଼ିଆ ଲୋକଙ୍କ ସହ କାମ କରିଥିଲେ।

ଏସବୁ କଥା ବିଚାରକୁ ନେଲେ ତଥାଗତଙ୍କ ‘ଅଣ ଓଡ଼ିଆ’ ମନ୍ତବ୍ୟ ସାଙ୍ଘାତିକ ଓ ଜଣେ ଲୋକପ୍ରିୟ ବ୍ୟକ୍ତିତ୍ୱଙ୍କ ପ୍ରତି ଘୋର ଅପମାନ  ବୋଲି ମହତାବ କହିଛନ୍ତି। ସମଗ୍ର ବିଶ୍ଵ ନେତାଜୀଙ୍କ ମାତୃଭୂମି ପ୍ରୀତିକୁ ପ୍ରଶଂସା କରିଥିବା ବେଳେ ସେ ଯେଉଁ ସାହସର ପରାକାଷ୍ଠା ଦେଖାଇଥିଲେ ତାହା ବିରଳ। ମହତାବ ପରିହାସ ଛଳରେ କହିଛନ୍ତି ଯେ ବେଳେବେଳେ ଜଣକର ଅଜ୍ଞତା ଅନ୍ୟମାନଙ୍କ ପାଇଁ ଆଶୀର୍ବାଦ ହୋଇଥାଏ।

Comment