ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର କରୋନା ବିରୋଧୀ ଲଢ଼େଇରେ ସ୍ଵାସ୍ଥ୍ୟକର୍ମୀଙ୍କ ପରେ ଏବେ ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦିଆଯିବ। ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ, କର୍ମୀ, ପୋଲିସ ଡିଜି, ଏସ୍‌ପି, ଜିଲ୍ଲାପାଳ ଆଦି ସମସ୍ତେ ନେବେ କରୋନା ଟିକା। ଆସନ୍ତା କାଲିଠାରୁ ଏହି ଟିକାକରଣ ଆରମ୍ଭ ହେବ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଟିକା ଷ୍ଟିୟରିଂ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଡିଜି ପୋଲିସ, ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ ଓ ଏସପି ଫେବ୍ରୁଆରି ୬ ତାରିଖରେ ଟିକା ନେବେ। ଟିକା ନେବା ପରେ ନିଜ ନିଜ ଫଟୋକୁ ଟୁଇଟ କରିବେ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଭିତରେ ସଚେତନତା ଓ ବିଶ୍ୱାସ ସୃଷ୍ଟି କରିବା ଜରୁରୀ। ଯାହା ଫଳରେ କି ଟିକାଦାନ କାର୍ଯ୍ୟକ୍ରମ ତାର ମୂଳ ଉଦ୍ଦେଶ୍ୟ ହାସଲ କରିପାରିବ। ଏକା ସାଙ୍ଗରେ କର୍ମଚାରୀ ଓ ବରିଷ୍ଠ ଅଧିକାରୀ ଟିକା ନେବା ପଛରେ ଆଉ ଏକ ଉଦ୍ଦେଶ୍ୟ ହେଉଛି ଯେ କରୋନା ଟିକା ନିରାପଦ ଓ ଏଥିରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ଏକଥା ଜଣାଇବା।ସ୍ଵାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯିବା ପରେ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦେବାକୁ ଫେବ୍ରୁଆରି ୩ ତାରିଖରେ ସ୍ଵାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ସରକାରୀ ଅଫିସଗୁଡ଼ିକରେ କର୍ମଚାରୀମାନଙ୍କୁ ଟିକା ଦେବାପାଇଁ ସରକାର କହିଥିଲେ। ଫେବ୍ରୁଆରି ୬ ତାରିଖରୁ ଏହି ଟିକାକରଣ ଆରମ୍ଭ କରିବାକୁ ସ୍ଵାସ୍ଥ୍ୟ ବିଭାଗ ଧାର୍ଯ୍ୟ କରିଛି।

ଏଥିପାଇଁ ୧ଲକ୍ଷ ୯୨ହଜାର ସମ୍ମୁଖ ଯୋଦ୍ଧାଙ୍କ ଡାଟା ବେସ୍ ପ୍ରସ୍ତୁତ ରହିଛି। ଆସନ୍ତା କାଲିଠାରୁ ଏହି ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ତିନି ସପ୍ତାହ ଭିତରେ ଏହାକୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି।

ଅନ୍ୟପଟେ ଟିକାକରଣ ପାଇଁ ବୁଧବାର ଓଡ଼ିଶାକୁ ୬୩ ହଜାର ୯୦ଡୋଜ୍ କୋଭିସିଲ୍ଡ ଟିକା ଏବଂ ୮୩ ହଜାର ୫୦୦ ଡୋଜ୍ କୋଭାକ୍ସିନ୍ ଟିକା ଆସିସାରିଛି।

Comment