ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଗୁଲାମ ନବୀ ଆଜାଦ ଆଜି ରାଜ୍ୟସଭାରୁ ବିଦାୟ ନେଇଛନ୍ତି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୃହକୁ ସମ୍ବୋଧିତ କରିଥିଲେ। ଗୃହରେ ଭାଷଣ ଦେଲା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଗୁଲାମ ନବୀଙ୍କର ଭୂରି ଭୂରି ପ୍ରଶଂସା କରିଥିଲେ। ସବୁଠୁ ବଡ଼ କଥା ଏହି ସମୟରେ ମୋଦୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲା। ଏକ ପୁରୁଣା ସ୍ମୃତିକୁ ମନେ ପକାଇ ମୋଦୀ କାନ୍ଦି ପକାଇଥିଲେ।

ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ମନେ ପକାଇ ମୋଦୀ କହିଛନ୍ତି, ‘‘ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ଜମ୍ମୁ କଶ୍ମୀରରେ କିଛି ଗୁଜୁରାଟି ଯାତ୍ରୀଙ୍କ ଉପରେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ସେ ସମୟରେ ଗୁଲାମ ନବୀ ମତେ ଫୋନ୍‌ କରିଥିଲେ। ଫୋନ୍‌ ଧରିବା ମାତ୍ରେ ସେ କାନ୍ଦି ପକାଇଥିଲେ। ନିଜ ପରିବାର ସଦସ୍ୟଙ୍କର ଯେପରି କିଛି ଅସୁବିଧା ହେଲେ ଆମେ ଚିନ୍ତିତ ହୋଇ ଯାଆନ୍ତି, ଗୁଲାମ ନବୀ ଠିକ୍‌ ସେମିତି ଚିନ୍ତା କରିଥିଲେ’’।

ମୋଦୀ ଆହୁରି ମଧ୍ୟ କହିଥିଲେ ଯେ, ଗୁଲାମ ନବୀ କେବଳ ଦଳ ନୁହେଁ ପୂରା ଦେଶର ଚିନ୍ତା କରନ୍ତି। ଜଣେ ସଚ୍ଚା ବନ୍ଧୁ ଭାବେ ସେ ସବୁବେଳେ ଠିଆ ହୋଇଛନ୍ତି।

ରାଜ୍ୟସଭାରେ କଂଗ୍ରେସ ସାଂସଦ ଗୁଲାମ ନବୀ ଆଜାଦଙ୍କ କାର୍ଯ୍ୟକାଳ ଆଜି ପୂରା ହୋଇଛି। ଏହି ଅବସରରେ ଆଜି ମୋଦୀଙ୍କ ସମେତ ଅନ୍ୟମାନେ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଥିଲେ। ତେବେ ଜଣେ ବିରୋଧୀ ଦଳ ନେତାଙ୍କ ପାଇଁ ମୋଦୀ ଭାବୁକ ହୋଇପଡ଼ିବା ଘଟଣା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

Comment