ଓଡ଼ିଶାଲାଇଭ ବ୍ୟୁରୋ

ପରଲୋକରେ ବିଶିଷ୍ଟ ସାହିତ୍ୟିକ ତଥା ସାମ୍ବାଦିକ ଅଭୟ ସିଂହ।

ଅଭୟ ସିଂହ, ଗୋଟିଏ ଶ୍ରଦ୍ଧାଶୀଳ ଉଚ୍ଚାରଣ, ଜଣେ ପ୍ରଚଣ୍ଡ ପ୍ରତିଭାବାନ ବ୍ୟକ୍ତିତ୍ଵ। ଗୋଟିଏ ପତ୍ରିକାର ବିଷୟ ଓ ପରିପାଟୀ କେମିତି ନିଆରା, ନିଖୁଣ ଓ ଆକର୍ଷଣୀୟ ହୋଇପାରେ, ‘ସଚିତ୍ର ବିଜୟା’ ସମ୍ପାଦନା କରି ସେ ତାହା ପ୍ରମାଣ କରିଦେବା ସହ ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ଓଡ଼ିଶାର ଏହି ଜଣାଶୁଣା ସାମ୍ବାଦିକ, ଲେଖକ, ସମ୍ପାଦକ ତଥା ବିଶିଷ୍ଟ ପରିବେଶ କର୍ମୀ ଅଭୟ ସିଂହଙ୍କର ଆଜି ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଓ ସାମ୍ବାଦିକ ଜଗତରୁ ଏକ ତାରକା ଅସ୍ତମିତ ହୋଇଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାରିମୁଣ୍ଡରେ ୧୯୫୩ ମସିହା ଜାନୁଆରି ପହିଲାରେ ଜନ୍ମିତ ଅଭୟ ସିଂହ ଜଣେ ବିଶିଷ୍ଟ ସମ୍ପାଦକ, ଲେଖକ ଭାବେ ସୁପରିଚିତ ଥିଲେ। ଭୁବନେଶ୍ୱରସ୍ଥିତ ‘ରିଜିଓନାଲ୍‌ କଲେଜ୍‌ ଅଫ୍‌ ଏଜୁକେସନ୍‌’ରୁ ସେ ଗ୍ରାଜୁଏସନ ପାସ୍‌ କରିଥିଲେ।

ଅଭୟ ସିଂହ ‘ସମବାୟ ସମାଚାର’ ପତ୍ରିକାର ସହ-ସମ୍ପାଦକ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଏହାଛଡ଼ା, ସେ ‘ପ୍ରଭା’ ନାମରେ ଅନ୍ୟ ଏକ ପତ୍ରିକାର ମଧ୍ୟ ପ୍ରତିଷ୍ଠାତା ସମ୍ପାଦକ ଥିଲେ। ସେ ‘ଜୀବନ’ ନାମକ ଏକ ସଙ୍ଗଠନ ପ୍ରତିଷ୍ଠା କରି ପରିବେଶ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ।

ତାଙ୍କ ରଚିତ ଏକ ଅନୁବାଦ ପୁସ୍ତକ ‘ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ’ ପାଠକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା।

ସେହିପରି ତାଙ୍କର ଅଭିନବ ବୁଦ୍ଧି ଓ କଠିନ ପରିଶ୍ରମ ଯୋଗୁଁ ଚେନ୍ନାଇର ‘ଚନ୍ଦାମାମା ପ୍ରକାଶନୀ’ ପକ୍ଷରୁ ପ୍ରକାଶିତ ହେଉଥିବା ମାସିକ ସାଂସ୍କୃତିକ ପତ୍ରିକା ‘ସଚିତ୍ର ବିଜୟା’ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିଲା। ଅବଶ୍ୟ କୌଣସି କାରଣରୁ ସେ ହଠାତ୍ ଦିନେ ‘ସଚିତ୍ର ବିଜୟା’ ଛାଡ଼ି ଦେଇଥିଲେ। କିନ୍ତୁ ଏହାପରେ ଚୁପ୍ ବସି ନ ଥିଲେ।

ମହାବାତ୍ୟା ପରେ ପରେ ସେ ଜଗତସିଂପୁରର ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଭିନ୍ନ କିସମର ଚାଷକୁ ନେଇ  ପରୀକ୍ଷା ନିରୀକ୍ଷା କରିଥିଲେ।

ସିଂହ ଭଳି ସ୍ୱାଭିମାନୀ, ଏମିତି ଜଣେ ଜ୍ଞାନୀ, ସର୍ଜନଶୀଳ, ପ୍ରତିଭାବାନ ଓ ମାନବବାଦୀ ବ୍ୟକ୍ତିଙ୍କ ବିୟୋଗ ଓଡିଶାର ସାହିତ୍ୟ ଓ ସୃଜନ ଜଗତ ପାଇଁ ଅପୂରଣୀୟ କ୍ଷତି। ତାଙ୍କ ବିୟୋଗରେ ଓଡ଼ିଶାର ବହୁ ସାମ୍ବାଦିକ, ଲେଖକ, ସାହିତ୍ୟିକ ଗଭୀର ଶୋକ ପ୍ରକାଶ କରିଛନ୍ତି।

Comment