ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ସାହିତ୍ୟ ଜଗତର ଉଜ୍ଜ୍ୱଳ ଜ୍ୟୋତିଷ୍କ ପଦ୍ମଶ୍ରୀ ମାୟାଧର ମାନସିଂହଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି।

ମାୟାଧର ମାନସିଂହ ଆଧୁନିକ ଓଡ଼ିଆ ସାହିତ୍ୟ ଜଗତର ଜଣେ ସ୍ମରଣୀୟ ପ୍ରତିଭା। ସେ ଏକାଧାରରେ ଜଣେ  ସଫଳ କବି, ପ୍ରାବନ୍ଧିକ, ସମାଲୋଚକ, ଅନୁବାଦକ, ଭ୍ରମଣବୃତାନ୍ତ ରଚୟିତା, ସମ୍ପାଦକ

ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ଆଜି ସେହି ମହାନ ସାହିତ୍ୟିକଙ୍କ ଜୟନ୍ତୀ। ଏହି ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ମାୟାଧର ମାନସିଂହ ୧୯୦୫, ନଭେମ୍ବରରେ ୧୩ରେ ପୁରୀରେ ଜନ୍ମ ହୋଇଥିଲେ।

‘‘ମାୟାଧର ମାନସିଂହ ଜାତୀୟବାଦୀ ଚେନତା ଓ ମହାତ୍ମା ଗାନ୍ଧୀଙ୍କ ସାମାଜିକ ଚେତନାକୁ ତାକୁ ଏକ ନୂଆ ରୂପ ଦେଇଥିଲେ।  ସେ ଯେ କେବଳ ପ୍ରେମ ପ୍ରଣୟର କବି ଥିଲେ ତାହା ନୁହେଁ। ସେ ପ୍ରାୟ ସବୁ ପ୍ରସଙ୍ଗରେ ନିଜର ଲେଖନୀ ଚାଳନା କରୁଥିଲେ। ଓଡ଼ିଆ କବିତାର ପରମ୍ପରା ଭିତରେ ପ୍ରେମ ଚେତନା ମୂଳକ କବିତା ରହିଛି। କିନ୍ତୁ ସେ ସବୁକୁ ନିଜ ସ୍ତରକୁ ଆଣିବ ଏବଂ ତାକୁ ଗୀତି କବିତା ସ୍ତରକୁ ଆଣିବା ପାଇଁ ଚେଷ୍ଟା କରି ସଫଳ ହୋଇଛନ୍ତି ମାୟାଧର ମାନସିଂହ। କେବଳ ସେତିକି ନୁହେଁ ଜଣେ ପ୍ରାବନ୍ଧିକ ଓ ଜଣେ ନାଟ୍ୟକାର ଭାବେ ସେ ବିଶାଳ ସାହିତ୍ୟ ରଚନା କରିଛନ୍ତି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକଡେମୀର ସଭାପତି ହରିହର ମିଶ୍ର।

ମାୟାଧର ମାନସିଂହ ପ୍ରେମ ଓ ପ୍ରଣୟର କବି ଭାବେ ଅଧିକ ପରିଚିତ ଓ ଲୋକପ୍ରିୟ। କିନ୍ତୁ ତାଙ୍କର ସାରସ୍ୱତ ଅବଦାନ ମଧ୍ୟରେ କବିତା ବ୍ୟତୀତ ଅଛି ନାଟକ, ପ୍ରବନ୍ଧ, ଜୀବନୀ, ଗଳ୍ପ ଏବଂ ଅନୁବାଦ ଓ ଗୀତିକବିତା। ସାହିତ୍ୟର ଏମିତି କୌଣସି ବିଭାଗ ନାହିଁ ଯେଉଁଥିରେ କି ସେ ତାଙ୍କର ଲେଖନୀ ଚାଳନା କରିନାହାଁନ୍ତି।

‘‘ପ୍ରେମ ପ୍ରଣୟର କବି ମାୟାଧର ମାନସିଂହ। କାବ୍ୟ କୃତି ବ୍ୟତୀତ ବହୁ ନାଟକ, ପ୍ରବନ୍ଧ, ସାହିତ୍ୟ ସମାଲୋଚନା ଆଦି ରଚନା କରି ସେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। କବିଙ୍କ ରଚିତ ଧୂପ, ହେମପୁଷ୍ପ, କୋଣାର୍କ ଆଦି ଗୋଟିଏ ଗୋଟିଏ ଚର୍ଚ୍ଚିତ ସୃଷ୍ଟି। ଓଡ଼ିଶା ବାହାରେ ଓଡ଼ିଆ ଭାଷା, ସଂସ୍କୃତିକୁ ପରିଚିତ କରିବା ପାଇଁ ଇଂରାଜୀ ଭାଷାରେ ମଧ୍ୟ କବିଙ୍କର ଗ୍ରନ୍ଥ ରହିଛି। ପ୍ରଣୟର ବାସ୍ତବତାକୁ କଳ୍ପନାରେ ପରିଣତ କରିବାର ଉତ୍ସ ମାୟାଧର ମାନସିଂହଙ୍କଠାରୁ ଆରମ୍ଭ ହୋଇଛି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମୁଖ୍ୟ ଶାସନ ସଚିବ ବିଷ୍ଣୁପଦ ସେଠୀ।

‘‘ମାୟାଧର ମାନସିଂହ ଆଧୁନିକ ସମୟରେ ପ୍ରେମ ପ୍ରଣୟର କବି ଭାବେ ପରିଚିତ ଓ ଲୋକପ୍ରିୟ। ତାଙ୍କର ଅବଦାନ କେବଳ କବିତା ଭିତରେ ସୀମିତ ନୁହେଁ ବରଂ ସାହିତ୍ୟର ଯେଉଁ ଅନ୍ୟାନ୍ୟ ବିଭାଗ ରହିଛି ଯଥା, ନାଟକ, ପ୍ରବନ୍ଧ, ଜୀବନୀ, ଗଳ୍ପ ଏମିତିକି ଅନୁବାଦ, ଗୀତି କବିତା ସବୁଠାରେ ତାଙ୍କର ଉପସ୍ଥିତି ରହିଥିଲା। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ଲେଖୁଥିଲେ। ମାୟାଧର ମାନସିଂହ ଲଣ୍ଡନର ଡରାହମ୍‌ ବିଶ୍ୱବିଦ୍ୟାଳୟରୁ ୧୯୩୭ ମସିହାରେ ଇଂରାଜୀ ସାହିତ୍ୟରେ ପିଏଚଡି କରିଥିଲେ। ସେତେବେଳେ ସେ ‘ସେକ୍ସପିୟର ଓ କାଳିଦାସ’ଙ୍କ ସାହିତ୍ୟରେ ତୁଳନାତ୍ମକ ବିଶେଷ୍ଳଣ କରି ନୂଆ ଦିଗନ୍ତ ଉନ୍ମୋଚନ କରିଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ  ରଞ୍ଜନ କୁମାର ଦାସ।

‘‘ପ୍ରକୃତି ଓ ମାନବପ୍ରେମ, ସୌନ୍ଦର୍ଯ୍ୟର ବର୍ଣ୍ଣାଢ଼୍ୟର ଅଭିବକ୍ତିରେ ରସତୀର୍ଣ୍ଣ କବି ମାୟାଧର ମାନସିଂହଙ୍କ କାବ୍ୟ ସୃଷ୍ଟି। ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ତାଙ୍କର ଗଭୀର ମମତା ଓ ଆନ୍ତରିକତା ରହିଥିଲା। ଏହା ତାଙ୍କ ରଚନାରେ ପ୍ରତିଫଳିତ ହୋଇଥାଏ’’, କହିଛନ୍ତି  ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘କବି ମାୟାଧର ମାନସିଂହ ତାଙ୍କର ବିଦଗ୍ଧତା ଓ ସମ୍ବେଦନଶୀଳତା ପାଇଁ ବେଶ ପରିଚିତ। ସେ ରୂପର ଓ ସୌନ୍ଦର୍ଯ୍ୟର କବି ଭାବେ ବିଶେଷ ପରିଚିତି ଲାଭ କରିଛନ୍ତି। ତାଙ୍କ ରଚନାର ପୃଷ୍ଠଭୂମି ଥିଲା ମାଟି। ତାଙ୍କ ରଚନାରେ ପ୍ରେମ ଓ ପ୍ରଣୟ ଓ ମାଟି ପ୍ରତି କିଭଳି ବିଭୋର ଆକର୍ଷଣ ରହିଥିଲା ତାହା ହିଁ ଅନୁଭବ ହୁଏ। ମାନସିଂହ ଥିଲେ ଇଂରାଜୀ ସାହିତ୍ୟର ଛାତ୍ର, କିନ୍ତୁ ଓଡ଼ିଆ ସାହିତ୍ୟରେ ସେ ଉଭୟ ଗଦ୍ୟ ଓ ପଦ୍ୟରେ ଅନୁପମ ସିଦ୍ଧକର ଥିଲେ’’, କହିଛନ୍ତି ବିଶିଷ୍ପ ଗାଳ୍ପିକା ଓ ସମାଲୋଚିକା ଡକ୍ଟର ଅର୍ଚ୍ଚନା ନାୟକ।

ଆଧୁନିକ ଓଡ଼ିଆ କବିତାରେ ଅପ୍ରତିଦ୍ୱନ୍ଦ୍ୱୀ କାବ୍ୟ ନାୟକ ରୋମାଣ୍ଟିକ କବିତାର କବି ମାୟାଧର ମାନସିଂହ ମୁଖ୍ୟତ ଧୁପ ଓ ହେମଶସ୍ୟ କାବ୍ୟଗ୍ରନ୍ଥ ପାଇଁ ଓଡ଼ିଆ ସାହିତ୍ୟରେ ପରିଚିତି ଲାଭ କରିଥିଲେ। ଜଣେ ମାନବଦରଦୀ, ଜାତୀୟତାବାଦୀ କବି ସତ୍ତ୍ୱେ ସେ ମୁଖ୍ୟତଃ ରୋମାଣ୍ଟିକ ଚେତନାର କବି ପାଇଁ ଓଡ଼ିଆ ସାହିତ୍ୟରେ ବିଶେଷ ଖ୍ୟାତି ଅର୍ଜନ କରିଥିଲେ’’, କହିଛନ୍ତି ବିଶିଷ୍ଟ କବି ଓ ପ୍ରାବନ୍ଧିକ କୁଳମଣି ଜେନା।

Comment