ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜଣେ ଅସାଧାରଣ ପ୍ରତିଭାବାନ କବି ଥିଲେ ପଣ୍ଡିତ ନୀଳକଣ୍ଠ ଦାସ। ଆଜି ତାଙ୍କ ଜନ୍ମ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି।

ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଏକରେ ଅନେକ। ସେ ଏକାଧାରରେ ଥିଲେ ଜଣେ କବି, ଦାର୍ଶନିକ, ରାଜନୀତିଜ୍ଞ, ସମାଲୋଚକ ପୁଣି ସ୍ୱାଧୀନତା ସଂଗ୍ରାମୀ। ଆଜି ସେହି ମହାନ୍ ବ୍ୟକ୍ତିଙ୍କର ଜନ୍ମ ଜୟନ୍ତୀ। ଏହି ଅବସରରେ ତାଙ୍କୁ ସମ୍ମାନ ଜଣାଇବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପଣ୍ଡିତ ନୀଳକଣ୍ଠ ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪, ଅଗଷ୍ଟ ୫ରେ ଜନ୍ମ ହୋଇଥିଲେ। ପିଲାବେଳୁ ହିଁ ତାଙ୍କ ଭିତରେ ଥିବା ପ୍ରତିଭା ଜଣାପଡ଼ିଥିଲା। 

‘‘ସତ୍ୟବାଦୀରେ ମୁକ୍ତ ଆକାଶ ତଳେ ଯେଉଁ ମହାନା ଆଚାର୍ଯ୍ୟ ଗଣମାନେ ସତ୍ୟବାଦୀ ବନ ବିଦ୍ୟାଳୟ ଭଳି ଏକ ମହାନ ଅନୁଷ୍ଠାନ ଟିଏ ଗଢ଼ି ତୋଳିଥିଲେ। ଏହି ଅନୁଷ୍ଠାନର ମୁଖ୍ୟ ପୁରୋଧା ଥିଲେ ପଣ୍ଠିତ ନୀଳକଣ୍ଠ। ତାଙ୍କ କବିତ୍ୱ ଥିଲା ଅସାମାନ୍ୟ କବିତ୍ୱ। ସେ ଥିଲେ ଜଣେ ପ୍ରୟୋଗବାଦୀ କବି। ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ଓଡ଼ିଶା ସାହିତ୍ୟକୁ ଉତ୍ସର୍ଗ କରିଦେଇଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରି ହର ମିଶ୍ର।

‘‘ଓଡ଼ିଆ ସାହିତ୍ୟ ଇତିହାସରେ ପଣ୍ଠିତ ନୀଳକଣ୍ଠ ଦାସ ହେଉଛନ୍ତି ଜଣେ ବିସ୍ମୟକର ପ୍ରତିଭା। ଓଡ଼ିଶା ସାହିତ୍ୟକୁ ଏକ ନିର୍ଦ୍ଦିଷ୍ଟ ଦିଗ ଦେବାରେ ସତ୍ୟବାଦୀର ପଞ୍ଚସଖାଙ୍କର ଅବଦାନ ଅତୁଳନୀୟ। ସେହିମାନଙ୍କ ଭିତରୁ ଜଣେ ଥିଲେ ପଣ୍ଡିତ ନୀଳକଣ୍ଠ। ଗୋପବନ୍ଧୁଙ୍କ ପରେ ଯିଏ ସାରା ଓଡ଼ିଶାରେ ଅନନ୍ୟ ପ୍ରସିଦ୍ଧି ଲାଭ କରିଥିଲେ ସେ ହେଉଛନ୍ତି ନୀଳକଣ୍ଠ ଦାସ। ସେ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରଥମ ସଭାପତି ଥିଲେ। ସେ ମଧ୍ୟ ଓଡ଼ିଶା ବିଧାନସଭାର ବାଚସ୍ପତି ଆସନ ଅଳଙ୍କୃତ କରିଥିଲେ’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ କୁମାର ନାୟକ।

‘‘ଓଡ଼ିଶା ସାହିତ୍ୱର ଜଣେ ସାରସ୍ୱତ ପ୍ରଜ୍ଞା ପୁରୁଷ ତଥା ଜଣେ ଜ୍ଞାନ ତପସ୍ୱୀ ଓ ଜଣେ ସ୍ୱାଭିମାନୀ ରାଷ୍ଟ୍ରନୀତିଜ୍ଞ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ। ତାଙ୍କର ଅବଦାନ ପାଇଁ ଓଡ଼ିଆ ଜାତିର ଚିର ବନ୍ଦନୀୟ ହୋଇ ରହିବେ ସେ’’, କହିଛନ୍ତି  ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ପଣ୍ଡିତ ନୀଳକଣ୍ଠ ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୋଧରେ ସ୍ୱର ଉଠାଇଥିଲେ। ସେ ସମୟରେ ବିଜ୍ଞାନର ଏତେ ଉନ୍ନତି ହୋଇନଥିଲା। ଠାକୁର, ଠାକୁରାଣୀଙ୍କ ନାଁ କହି ସାଧାରଣ ଲୋକଙ୍କୁ ଶୋଷଣ କରାଯାଉଥିଲା। ଏହି ସମୟରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ନୀଳକଣ୍ଠ ସମାଜକୁ ସଚେତନ କରାଇଥିଲେ। ସେ ଥିଲେ ସ୍ୱାଧୀନ ଚିନ୍ତାର ମଣିଷ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦିବାକର ମାନସିଂହ।

‘‘ଶିକ୍ଷକ, ସମାଜ ସଂସ୍କାରକ, ପତ୍ରକାର ସର୍ବୋପରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅନ୍ୟତମ ନିର୍ମାତା ଥିଲେ ନୀଳକଣ୍ଠ ଦାସ। ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଭାଷ ବିଜ୍ଞାନୀ, ପ୍ରଥମ ଓଡ଼ିଆ ଶିଶୁ ସାହିତ୍ୟିକ, ପ୍ରଥମ ଓଡ଼ିଆ ନୀତି ସଂସ୍କାରକ। ତାଙ୍କ ପାଣ୍ଡିତ୍ୟ ଥିଲା ଗଭୀର’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ପୂର୍ଣ୍ଣେନ୍ଦୁ ଦାସ।

ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି। କୋଣାର୍କେ, ଖାରବେଳ, ମାୟାଦେବୀ, ପିଲାଙ୍କ ରାମାୟଣ, ପିଲାଙ୍କ ମହାଭାରତ, ପିଲାଙ୍କ ଭାଗବତ ତାଙ୍କର କାଳଜୟୀ କୃତି।

Comment