ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକବି, ହାସ୍ୟରସିକ ତଥା ବିଶିଷ୍ଟ ବ୍ୟଙ୍ଗକାର ଉତ୍କଳଘଣ୍ଟ ଯଦୁମଣି ମହାପାତ୍ରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।

ସାହିତ୍ୟ ରସିକ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ଜଣେ ବହୁଶାସ୍ତ୍ରଦର୍ଶୀ ସଂସ୍କୃତ ପଣ୍ଡିତ ଥିଲେ। ପୁରାଣ, କାବ୍ୟ, ଅଳଙ୍କାର, ଶିଳ୍ପଶାସ୍ତ୍ର, ସଂଗୀତଶାସ୍ତ୍ର, ଜ୍ୟୋତିଷ ଓ ଦର୍ଶନଶାସ୍ତ୍ରରେ ତାଙ୍କର ଗଭୀର ପାଣ୍ଡିତ୍ୟ ଥିଲା। ଆଜି ସେହି ମହାନ ପଣ୍ଡିତଙ୍କ ଜୟନ୍ତୀରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ନୟାଗଡ଼ ଜିଲ୍ଲାର ଇଟାମାଟିରେ, ୧୭୮୩, ଆଜିର ଦିନରେ ଜନ୍ମ ହୋଇଥିଲେ ଯଦୁମଣି ମହାପାତ୍ର।

‘‘ରୀତିଯୁଗର ଜଣେ ଉଜ୍ଜ୍ୱଳତମ ତାରକା ହେଉଛନ୍ତି କବି ଯଦୁମଣି ମହାପାତ୍ର। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ତାଙ୍କର କାବ୍ୟଗୁରୁ ଥିଲେ। ଉପେନ୍ଦ୍ର ଭଞ୍ଜଙ୍କୁ ଅନୁକରଣ କରି ସେ ତାଙ୍କର ରଚନାଶୈଳୀକୁ ସ୍ୱତନ୍ତ୍ର ଓ ମୌଳିକ କରି ପାରିଥିଲେ। ସେ ତାଙ୍କ ହାସ୍ୟ ରସାତ୍ମକ ଲେଖା ମଧ୍ୟରେ ଜଣେ ନିର୍ବାକ ଲୋକକୁ ବି ହସେଇ ପାରୁଥିଲେ। ଗ୍ରାମୀଣ ଶବ୍ଦର ପ୍ରୟୋଗ କରି ସେ ପ୍ରତି ପାଠକଙ୍କ ନିକଟତର ହୋଇଥିଲେ ଓ ସାଧାରଣ ଲୋକଙ୍କ ମନରେ ଆନନ୍ଦ ସୃଷ୍ଟି କରିପାରୁଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

‘‘କବି ଯଦୁମଣି ଜଣେ ଆସୁକବି, ହାସ୍ୟରସିକ, ବ୍ୟଙ୍ଗକାର ଭାବରେ ସାରା ଓଡ଼ିଶାରେ ସୁପରିଚିତ। ତାଙ୍କର ହାସ୍ୟରସାତ୍ମକ କବିତା ଅତ୍ୟନ୍ତ ରସସିକ୍ତ ଓ ଶ୍ରୁତିମଧୁର। ଏହି ମହାନ ପ୍ରତିଭାଧର ଉତ୍କଳଘଣ୍ଟ କବି ଯଦୁମଣି ଏ ଜାତିର ଚିର ନମସ୍ୟ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ଯଦୁମଣି ମହାପାତ୍ରଙ୍କ ବାକଚାତୁରୀରେ ପାଠକ ବିସ୍ମିତ ହେଉଥିଲେ। ସେ କେବଳ ଜଣେ କବି କି ଲେଖକ ନୁହେଁ ଜଣେ ବିଦ୍ୱାନ ଥିଲେ। ସଂସ୍କୃତର କଠିନ ଭାଷାରେ ସେ ଗଭୀର ଜ୍ଞାନ ଆହରଣ କରିଥିଲେ। ଉତ୍କଳ ଭୂଖଣ୍ଡରେ ସେ ସେ ଜଣେ ବିରଳ ପ୍ରତିଭା ଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟକ ରାଧୁ ମିଶ୍ର।

‘‘ଉତ୍ତର ରୀତି ସାହିତ୍ୟରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ସୁଯୋଗ୍ୟ ଉତ୍ତରଦାୟଦ ଥିଲେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର। ଜଣେ ସୁଦ୍ର ହୋଇ ମଧ୍ୟ ସେ ସଂସ୍କୃତ ସାହିତ୍ୟରେ ପ୍ରବୀଣ ଥିଲେ। ସାମାଜିକ କ୍ଷେତ୍ରରେ ସୂଦ୍ରଙ୍କ ପ୍ରତି ଯେଉଁ ଅବିଚାର ଥିଲା ତାକୁ ଦୂରେଇବା ପାଇଁ ଯଦୁମଣି ସର୍ବଦା ଚେଷ୍ଟିତ ଥିଲେ। ତେବେ ଓଡ଼ିଆ ସାହିତ୍ୟରେ ହାସ୍ୟରସକୁ ସେ ଏକ ନୂଆ ପରିଚୟ ଦେଇଥିବାରୁ ତାଙ୍କୁ ଉତ୍କଳଘଣ୍ଟ ଉପାଧି ମିଳିଥିଲା। ରାଘବ ବିଳାସ, ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର, ବିଭିନ୍ନ ଚଉପଦୀ, ଭଜନ, ଜଣାଣ ସେ ଲେଖିଛନ୍ତି। ତାଙ୍କର ଭାଷା ଚାତୁର୍ଯ୍ୟ, ଇଷ୍ଟ ସ୍ତୁତି, ମଙ୍ଗଳାଚରଣ ଯୋଗୁଁ ସେ ଆଜି ବି ପାଠକଙ୍କ ମନରେ ସ୍ମରଣୀୟ ହୋଇ ରହିଛନ୍ତି’’, କହିଛିନ୍ତି ବିଶିଷ୍ଟ ଗବେଷିକା ଡକ୍ଟର ସଂଘମିତ୍ରା ଭଞ୍ଜ।

Comment