ଓଡ଼ିଶାଲାଇଭ୍‌ ବ୍ୟୁରୋ

କବି ଗୋଦାବରୀଶ ମହାପାତ୍ରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି।

କବି ଗୋଦାବରୀଶ ମହାପାତ୍ର ବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ଆକାଶରେ ଆବିର୍ଭୂତ ହୋଇଥିଲେ। ଆଧୁନିକ ଓଡ଼ିଆ ସାହିତ୍ୟର ଏକ ବିସ୍ମୟକର ପ୍ରତିଭା ଭାବରେ ତାଙ୍କୁ ଗଣାଯାଏ। ଆଜି ସେହି ମହାନ ସାରସ୍ୱତ ସାଧକ କବି ଗୋଦାବରୀଶଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ଗୋଦାବରୀଶ ମହାପାତ୍ର ୧୮୯୮ ମସିହାରେ ଆଜିର ଦିନରେ ଅବିଭକ୍ତ ପୁରୀ ଜିଲ୍ଲାର ବାଣପୁର ନିକଟସ୍ଥ କୁମାରାଙ୍ଗ ଶାସନରେ ଜନ୍ମ ଗ୍ରହଣ କରିଥିଲେ।

‘‘ପାଠ ପଢ଼ିବାକୁ ସେ ସତ୍ୟବାଦୀ ବନ ବିଦ୍ୟାଳୟକୁ ଆସିଥିଲେ। ସେଠାରେ ତାଙ୍କ କବିତ୍ୱର ଉନ୍ମୋଚନ ହୋଇଥିଲା। କବିତା ବ୍ୟତୀତ ବିଶେଷ କରି ତାଙ୍କର କ୍ଷୁଦ୍ର ଗଳ୍ପ ଆଜି ବି ପାଠକ ଗହଣରେ ବଞ୍ଚିଛି।  ଗୋଦାବରୀଶଙ୍କ ଲେଖାରେ ସବୁବେଳେ ସ୍ୱାଭିମାନର ସ୍ୱାଦ ବାରି ହୋଇପଡ଼ୁଥିଲା’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

ଗୋଦାବରୀଶଙ୍କ ଦ୍ୱାରା ରଚିତ ‘କଣ୍ଟା ଓ ଫୁଲ’ ଏବଂ ‘ଉଠ କଙ୍କାଳ‘ କବିତା ପୁସ୍ତକ ପାଇଁ ସେ ଦୁଇଥର ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ସମ୍ମାନିତ ହୋଇଥିଲେ। ଶିଶୁ ସାହିତ୍ୟ ‘ମୋ ଖେଳ ସାଥି’  ଓ ‘ବଙ୍କା ଓ ସିଧା’ ସଂକଳନ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଥିଲେ।

‘‘ଗୋଦାବରୀଶ ମହାପାତ୍ର ଥିଲେ ଏକାଧାରରେ ଥିଲେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଏବଂ ବ୍ୟଙ୍ଗ ଲେଖକ । ସେ ଜଣେ ସମାଜ ସଂସ୍କାରକ, ସାମ୍ବାଦିକ ଓ ସମାଲୋଚକ ମଧ୍ୟ ଥିଲେ। ଦୀର୍ଘ ୨୭ ବର୍ଷ ଧରି ତାଙ୍କ ଦ୍ୱାରା ସମ୍ପାଦିକ ‘ନିଆଁଖୁଣ୍ଟା’ ଥିଲା ସମାଜର ଜାଗ୍ରତ ପ୍ରହରୀ ତଥା ଦୁର୍ନୀତି ଓ ଅବିଚାର ବିରୋଧରେ ସ୍ୱର। ଏଥିରେ ବ୍ୟଙ୍ଗ ଛିବ, ସମାଲୋଚନା ଏବଂ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ସ୍ଥାନିତ ହେଉଥିଲା। ଆଜି ପର୍ଯ୍ୟନ୍ତ ‘ନିଆଁଖୁଣ୍ଟା’ର ସ୍ଥାନ ଅନ୍ୟ କୌଣସି ପ୍ରତ୍ରିକା ନେଇପାରିନାହାନ୍ତି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

୧୯୩୮ ମସିହା ମାର୍ଚ୍ଚ ୧୨ ତାରିଖରେ ତାଙ୍କ ଦ୍ୱାରା ପ୍ରକାଶିତ ‘ନିଆଖୁଣ୍ଟା’ ପତ୍ରିକା ତାଙ୍କୁ ଏକ ବିଶାଳ ଜାତିୟବାଦୀ ଅନୁଷ୍ଠାନରେ ପରିଣତ କରିଦେଲା।

‘‘ସତ୍ୟବାଦୀ ବନ ବିଦ୍ୟାଳୟରେ ପଞ୍ଚସଖାଙ୍କଠାରୁ ଅସୀମ ପ୍ରେରଣା ପାଇଥିଲେ କବି ଗୋଦାବରୀଶ ମହାପାତ୍ର। ସେ ଓଡ଼ିଆ ସାହିତ୍ୟ ଆକାଶରେ ନିଜକୁ ଏକ ଉଜ୍ଜ୍ୱଳତମ ନକ୍ଷତ୍ର ଭାବେ ପ୍ରତିଷ୍ଠା କରିପାରିଥିଲେ। ତାଙ୍କର ଲେଖା ଯୋଗୁଁ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ସଚିବ ଶୁଚିସ୍ମିତା ମନ୍ତ୍ରୀ।

‘‘ ଓଡ଼ିଆ ସାହିତ୍ୟରେ ହାସ୍ୟ ଏବଂ ବ୍ୟଙ୍ଗର ଏକ ସମୃଦ୍ଧ ପରମ୍ପରା ରହିଛି। କିନ୍ତୁ ସମାଜର ତୃଣମୂଳ ସ୍ତରରେ ରମ୍ୟ, ବ୍ୟଙ୍ଗ ଏବଂ ହାସ୍ୟକୁ ପହଞ୍ଚାଇବାରେ ଗୋଦାବରୀଶ ମହାପାତ୍ରଙ୍କ ସବୁଠୁ ଅଧିକ ଅବଦାନ ରହିଛି। ଗୋଦାବରୀଶ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ ଥିଲେ। ବାଲ୍ୟକାଳରୁ ସେ ସତ୍ୟବାଦୀ ବନ ବିଦ୍ୟାଳୟ ସହ ସମ୍ପୃକ୍ତ ଥିଲେ। ଏହି ବିଦ୍ୟାଳୟ ତାଙ୍କ ଜୀବନ ଦର୍ଶନକୁ ବିଭିନ୍ନ ଭାବରେ ପ୍ରଭାବିତ କରିଥିଲା’’, କହିଛନ୍ତି ବିଶିଷ୍ଟ ଲେଖକ ଓ ଗଣମାଧ୍ୟମ ପ୍ରଶିକ୍ଷକ ଡକ୍ଟର ମୃଣାଳ ଚାଟାର୍ଜୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଦାବରୀଶ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ। ସେ ବ୍ୟଙ୍ଗ ସାହିତ୍ୟକୁ ବେଶ ରୁଦ୍ଧିମନ୍ତ କରିଥିଲେ। ସାହିତ୍ୟ ସହିତ ସ୍ୱାଧୀନତା ସଂଗ୍ରାମ, ସଂସ୍କୃତି ଏବଂ ବିଭିନ୍ନ ଧାରା ସହିତ ସେ ଜଡ଼ିତ ଥିଲେ।

‘‘ଗୋଦାବରୀଶ ମହାପାତ୍ର ଜଣେ ଜାତୀୟବାଦୀ କବି ଥିଲେ। ସେ ବହୁ ପ୍ରତିଭାର ଅଧିକାରୀ ଥିଲେ। ଛାତ୍ର ଜୀବନୀୟରୁ ହିଁ ସେ କବିତା ଲେଖି ତାଙ୍କମାନଙ୍କୁ ଶୁଣାଉଥିଲେ। ସେ ତାଙ୍କ ଗାଁର ନାଁ ‘ବାଣପୁର’ ଶୀର୍ଷକକୁ ନେଇ ଏକ ଦୀର୍ଘ କବିତା ରଚନା କରିଥିଲେ। ‘ହେମର କଲମ’, ‘ହାଣ୍ଡିଶାଳର ବିପ୍ଳବ’ ତାଙ୍କର କାଳଜୟୀ ରଚନା’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦେବେନ୍ଦ୍ର ମାନସିଂହ।

Comment