ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ କାବ୍ୟ ସାହିତ୍ୟର ଅନ୍ୟତମ ଉଜ୍ୱଳ ତାରକା ଜାତୀୟ କବି ବୀରକିଶୋର ଦାସ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି।

ଜାତୀୟକବି ବୀରକିଶୋର ଦାସ। ଦେଶର ସ୍ୱାଧୀନତା ସଂଗ୍ରାମ, ଅସହଯୋଗ ଆନ୍ଦୋଳନ ଓ ଲବଣ ସତ୍ୟାଗ୍ରହ ସମୟରେ ଅଗ୍ନିବର୍ଷୀ କବିତାର ଝଙ୍କାର ସୃଷ୍ଟି କରି ଇଂରେଜ ସରକାରଙ୍କ ବିରୋଧରେ ବିପ୍ଳବ, ଜାତୀୟତାବୋଧର ସ୍ପନ୍ଦନ ସୃଷ୍ଟି କରିଥିଲେ। ଆଜି ସେହି ମହାନ କବି ଓ ବିଶିଷ୍ଟ ରାଜନେତା ବୀରକିଶୋର ଦାସଙ୍କ ଜୟନ୍ତୀ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

ସେ ୧୮୯୮ ନଭେମ୍ବର ୨୩ ତାରିଖ ଦିନ ଜଗତସିଂହପୁର ଜିଲ୍ଲାର ପୁନଙ୍ଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ।

‘‘ବୀରକିଶୋର ଦାସଙ୍କ ଦାସ ଖୁବ୍‌ ସ୍ୱଳ୍ପ କାବ୍ୟ କୃତି ଆମେ ଦେଖିବାକୁ ପାଉ। କିନ୍ତୁ ତାଙ୍କ କବିତାଗଡ଼ିକ ବେଶ ପ୍ରଭାବଶାଳୀ। ତାହା ଲୋକଙ୍କ ମନକୁ ଛୁଇଁ ଥିଲା ଏବଂ ପ୍ରେରଣା ସୃଷ୍ଟି କରୁଥିଲା। ତାଙ୍କର ପ୍ରତିଟି କବିତା ଦେଶବସୀଙ୍କ ମନରେ ଦେଶାତ୍ମବୋଧ ଭାବନା ସୃଷ୍ଟି କରିଥିଲା। ଓଡ଼ିଆ କବିତା ଜଗତରେ ତାଙ୍କର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହରିହର ମିଶ୍ର।

ସରଳଭାଷାରେ ରଚିତ ତାଙ୍କର ଜ୍ୱଳାମୟୀ କବିତାମାନ ମୁକ୍ତିକାମୀ ଜନମାନସରେ ଗଭୀର ଆଲୋଡନ ସୃଷ୍ଟି କରିପାରିଥିଲା। ଜାତିପ୍ରାଣରେ ଉଦବୁଦ୍ଧ ହୋଇ ସରକାରୀ ଚାକିରିର ମୋହ ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ।

‘‘ସ୍ୱାଧୀନତା ଆନ୍ଦୋଳନ ସମୟରେ ସାହିତ୍ୟ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇ ଯେଉଁ ସାହିତ୍ୟିକମାନେ ମୁକ୍ତି ସଂଗ୍ରାମକୁ ଜୀବନ୍ତ କରିଥିଲେ ସେମାନଙ୍କ ମଧ୍ୟରୁ ଜାତୀୟ କବି ବୀରକିଶୋର ଦାସ ଥିଲେ ଅନ୍ୟତମ। ତାଙ୍କ କଲମରୁ ଝରିଥିଲା ଦେଶାତ୍ମବୋଧ ସଂଗ୍ରାମୀ କବିତା। ତାଙ୍କ କବିତା ଆମ ମାତୃଭାଷାକୁ ସମୃଦ୍ଧ କରିଥିଲା। ଏହାଛଡ଼ା ସେ ଶିଶୁମାନଙ୍କ ପାଇଁ ମଧ୍ୟ ଅନେକ କବିତା ଲେଖିଥିଲେ’’, କହିଛନ୍ତି ଓଡ଼ଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ।

‘‘୧୯୩୦ରେ ସରକାରୀ ଚାକିରି ଛାଡ଼ି ଲବଣ ସତ୍ୟାଗ୍ରହରେ ଯୋଗଦାନ କରିଥିଲେ ବୀରକିଶୋର। ସେ ସମୟରେ ବିଭିନ୍ନ କବିତାମାନ ରଚନା କରିଥିଲେ। ରଣ ଦୁନ୍ଦୁଭୀ, ରଣଭେରୀ, ବିଦ୍ରୋହୀବୀଣା, ମୋହନବେଣୁ, ସବୁଜସାଥି, ସମର ଯୁଗର ଅମର ଗୀତ, ସାତଦୀପ ଇତ୍ୟାଦି ହେଉଛି ତାଙ୍କର କାଳଜୟୀ ସୃଷ୍ଟି’’, କହିଛନ୍ତି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ।

‘‘ଇଂରେଜ ଶାସନ କାଳରେ ଜାତୀୟ କବି ବୀରକିଶୋର ଯେଉଁ ଚେତନା ସୃଷ୍ଟି କରିଥିଲେ ସେଥିପାଇଁ ତାଙ୍କୁ ଜାତୀୟ କବି କୁହାଯାଏ। କାରଣ ତାଙ୍କ ଲେଖା ଜାତୀୟ ଚେତନାକୁ ଅଧିକ ବିସ୍ତୁରିତ କରିଥିଲା। ଓଡ଼ିଆ ମନରେ ବୈପ୍ଳବିକ ଚିନ୍ତାଧାରାକୁ କ୍ଷରଣ କରିଥିଲା। ସେ କେବଳ ଜାତୀୟବାଦୀ ଲେଖା ଲେଖୁଥିଲେ ତାହା ନୁହେଁ ସେ ଅନେକ ଶିଶୁ କବିତା ମଧ୍ୟ ଲେଖୁଥିଲେ। ସ୍ୱାଧୀନତା ପରେ କଟକ ସଦର ଲୋକାଲ୍ ବୋର୍ଡ ଚେୟାରମ୍ୟାନ ପଦଗ୍ରଦଣ କରିଥିଲେ। ୧୯୪୬ରେ ପାଠ୍ୟ ପୁସ୍ତକ ମୋ ଛବି ବହି ଓ ନୂଆ ଛବିବହି ସେ ଲେଖିଥିଲେ। ମାସିକ ଶିଶୁ ସାହିତ୍ୟିକ ପତ୍ରିକା ମୋ ଦେଶ ଆରମ୍ଭ କରିଥିଲେ।’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାସ ବେନହୂର।

‘‘ବୀରକିଶୋର ଆମ ଜାତିର ଚିର ନମସ୍ୟ। ସେ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ। ସେ ସ୍ୱାଧୀନତା ସଂଗ୍ରାମରେ ଯୋଗ ନେଇ ଗାନ୍ଧୀ ଆଦର୍ଶରେ ଉଦବୁଧ ହୋଇଥିଲେ। ଇଂରେଜ ସରକାରଙ୍କୁ ଶାସନରୁ ହଟାଇବା ପାଇଁ ସେ ଉତ୍ସାହ ସୃଷ୍ଟି କରିଥିଲେ। ସାହିତ୍ୟ ମାଧ୍ୟମରେ ସେ ଲୋକଙ୍କ ମନରେ ସଂଗ୍ରାମ ପାଇଁ ଜାଗରଣ ସୃଷ୍ଟି କରିଥିଲେ’’, କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସିଂହ।

‘‘ବୀରକିଶୋର ଦାସ ଦେଶର ସ୍ୱାଧୀନତା ଆନ୍ଦୋଳନ ସମୟରେ ଅଗ୍ନିବର୍ଷୀ କବିତାମାନ ସୃଷ୍ଟି କରି ବିଦେଶୀ ଇଂରେଜ ସରକାରଙ୍କ ବିରୋଧରେ  ପ୍ରତ୍ୟକ୍ଷ ବିଳ୍ପବ ପାଇଁ ଜାଗରଣ ସୃଷ୍ଟି କରିଥିଲେ। ସରଳ ଭାଷାରେ ଜ୍ୱାଳାମୟ କବିତାମାନ ଲେଖି ସେ ଆଲୋଡନ ସୃଷ୍ଟି କରିଥିଲେ’’, କହିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶୁଚିସ୍ମିତା ମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here