ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଶୁ ମୋର ଦେହ ଏ ଦେଶ ମାଟିରେ, ଦେଶବାସୀ ଚାଲି ଯାଆନ୍ତୁ ପିଠିରେ… ଏହି ସୁନ୍ଦର ଓ ହୃଦୟସ୍ପର୍ଶୀ ପଙ୍କ୍ତିଟି ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲେଖନୀରୁ ଆସିଥିଲା। ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ବି କୋଟି କୋଟି ଓଡ଼ିଆ ଏହାକୁ ମନେ ରଖିଛନ୍ତି। ଓଡ଼ିଆଙ୍କ ମନରେ ଆଜି ଗୋପବନ୍ଧୁ ଜୀବୀତ ଅଛନ୍ତି। ଆଜି ସେହି ମହାନ ପୁରୁଷଙ୍କ ଜୟନ୍ତୀ।

 ଏହି ଅବସରରେ ଆଜି ଆମେ ଆପଣଙ୍କୁ କହିବୁ ଗୋପବନ୍ଧୁଙ୍କ ଜୀବନ ସହ ଜଡ଼ିତ କିଛି ଖାସ୍‌ କଥା ବିଷୟରେ…

ଗୋପବନ୍ଧୁ, ୧୮୭୭ ମସିହା ଅକ୍ଟୋବର ମାସ ୯ ତାରିଖରେ ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ। ମାତାଙ୍କ ମୃତ୍ୟୁ ପରେ, ୧୮୯୩ ମସିହାରେ ପୁରୀ ଜିଲ୍ଲା ସ୍କୁଲରେ ନାମ ଲେଖାଇ ଥିଲେ ସେ। ପିଲାବେଳୁ ହିଁ ସେ ଲୋକଙ୍କ ସେବା କରିବାକୁ ଭଲ ପାଉଥିଲେ। ସାଥୀମାନଙ୍କ ସହ ରୋଗୀସେବା, ପରିବେଶ ପରିଚ୍ଛନ୍ନ ଓ ଶବସଂସ୍କାର ଇତ୍ୟାଦି କାମରେ ଲାଗିପଡ଼ିଥିଲେ।

ଗୋବବନ୍ଧୁ ମାତ୍ର ୧୨ ବର୍ଷ ବୟସରେ ଅପତୀ ଦେବୀଙ୍କୁ ବିବାହ କରିଥିଲେ। ବିବାହ ପରେ ମଧ୍ୟ ସେ ପାଠ ପଢ଼ା ଜାରିରଖିଥିଲେ। ପୁରୀରୁ ମାଟ୍ରିକ ପାସ କରି, ସେ କଟକର ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ଏହି ସମୟରେ ତାଙ୍କର ବାପାଙ୍କ ମୃତ୍ୟୁ ଘଟିଥିଲା।

କଟକରେ ଅଧ୍ୟୟନ ସମୟରେ ଓଡ଼ିଆ ଭାଷାର ବିଲୋପ ଚକ୍ରାନ୍ତ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଗୋପବନ୍ଧୁ, ‘କର୍ତବ୍ୟ ବୋଧିନୀ ସମିତି’ ଗଠନ କରି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କଲେ। ତାଙ୍କର ଆହ୍ୱାନ ଥିଲା, ‘ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ପରିଚୟ ହେଉଛି ତାହାର ଭାଷା। ଭାଷାହିଁ ଜାତିର ପ୍ରାଣସ୍ପନ୍ଦନ।’ ରମ୍ଭାଠାରେ ରାମଚନ୍ଦ୍ର ଦାଶ ଓ ଗୋପବନ୍ଧୁଙ୍କ ଉଦ୍ୟମରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା। ସ୍କୁଲ, କଲେଜ ପାଠ୍ୟକ୍ରମରେ ଗୋପବନ୍ଧୁଙ୍କ ଲେଖା ସ୍ଥାନ ପାଇଛି।

Comment