ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆନ୍ଧ୍ର ମଧ୍ୟରେ କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଏବେ ଚରମ ସ୍ଥିତିରେ ପହଞ୍ଚିଛି। ପ୍ରସଙ୍ଗକୁ ନେଇ ରାଜନୀତି ଯେତେ ଘନୋଉଛି ଓଡ଼ିଶା ହାତରୁ ସେତିକି ଖସିବାରେ ଲାଗିଛି କୋଟିଆ। ଶନିବାର କୋଟିଆରେ ପଞ୍ଚାୟତ ନିର୍ବାଚନ କରୁଛି ଆନ୍ଧ୍ର। କୋଟିଆକୁ ନେଇ ଓଡ଼ିଶା ସର୍ବୋଚ୍ଚନ୍ୟାୟଳୟଙ୍କ ଦ୍ଵାରସ୍ଥ ହେବା ପରେ ମଧ୍ୟ ଓଡ଼ିଶାର ଲଢ଼େଇ ବୃଥା ଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଆଜି କୋଟିଆର ପଟୁସିନେରି ପଞ୍ଚାୟତରେ ଆନ୍ଧ୍ର ମତଦାନ କରାଉଛି। କୋଟିଆର ୩ ଗାଁରେ ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା-ଆନ୍ଧ୍ର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବା ସହ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି। ଏପରି ସ୍ଥିତିରେ ବିଜୟାନଗରମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପଟୁସିନେରି ପଞ୍ଚାୟତରେ ନିର୍ବାଚନ କରାଇବା ପ୍ରସଙ୍ଗକୁ ଆହୁରି ବିଗାଡ଼ି ଦେଇଛି। କେବଳ କୋରାପୁଟ ଜିଲ୍ଲା ନୁହେଁ, ମାଲକାନଗିରି ଓ ଗଞ୍ଜାମ ଜିଲ୍ଲାର କେତେକ ପଞ୍ଚାୟତରେ ମଧ୍ୟ ଆଜି ଆନ୍ଧ୍ର ନିର୍ବାଚନ କରାଉଛି।

କୋଟିଆର ପଟୁସିନେରିର ୭ଟି ଗାଁକୁ ନେଇ ଆନ୍ଧ୍ରପ୍ରଦେଶ ଆଉ ଏକ ପଞ୍ଚାୟତ ଗଠନ କରିଛି। ଏଥିରେ ରହିଛି ଓଡ଼ିଶାର ୫ଟି ଗାଁ ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସିନେରି ଓ କୋନାଦରା। ଆନ୍ଧ୍ରର ଦୁଇଟି ଗାଁ ହେଲା ଚିକାପାରୁ ଓ ବାଲେଙ୍ଗା ବେଲେସା। ସେହିପରି କୋରାପୁଟର ତଳଗଞ୍ଜେଇପଦରର ନାଁ ବଦଳେଇ ଗଞ୍ଜେଇବାଦ୍ରା ନାଁରେ ନିର୍ବାଚନ କରାଉଛି ଆନ୍ଧ୍ର।

Comment