ଓଡ଼ିଶାଲାଇଭ୍ ବ୍ୟୁରୋ
ଆଇପିଏଲ୍-୧୪ରେ ଖେଳିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର। ଗୁରୁବାର ହୋଇଥିବା ଆଇପିଏଲ ଖେଳାଳି ନିଲାମୀ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ଅର୍ଜୁନ ପ୍ରଥମଥର ପାଇଁ ଆଇପିଏଲ ନିଲାମ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ପୂର୍ବରୁ ସେ ଦୁଇଟି ସିଜନରେ ନେଟ ବୋଲର ଭାବରେ ଖେଳ ପ୍ରଦର୍ଶନ କରିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କ ଉପରେ ଭରସା କରିଥିବାରୁ ସେ ଟିମ୍ର କୋଚ, ମାଲିକ ଓ ସପୋର୍ଟ ଷ୍ଟାଫ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ୨୧ ବର୍ଷୀୟ ଅର୍ଜୁନ ନିକଟରେ ମୁମ୍ବାଇର ସିନିୟର ଦଳ ପାଇଁ ଡେବ୍ୟୁ କରିଥିଲେ। ସେ ହରିୟାଣା ବିପକ୍ଷ ଜାତୀୟ ଟି-୨୦ ଚାମ୍ପିୟନସିପ୍ ସୟଦ ମୁସ୍ତାକ ଅଲି ଟୁର୍ଣ୍ଣାମେଣ୍ଟରେ ଖେଳିଥିଲେ।
ପୂର୍ବରୁ ଅର୍ଜୁନଙ୍କ ପିତା ସଚିନ ତେନ୍ଦୁଲକର ଏହି ଟିମ୍ରେ ଖେଳି ସାରିଛନ୍ତି। ଏବେ ସେ ଏହି ଟିମ୍ରେ ମେଣ୍ଟର ଅଛନ୍ତି। ତେଣୁ ନିଲାମ ପ୍ରକ୍ରିୟା ହେବା ଆଗରୁ ମୁମ୍ବାଇ ଇଣ୍ଡିଆନ୍ସ ଅର୍ଜୁନଙ୍କୁ କିଣିପାରେ ବୋଲି ଚର୍ଚ୍ଚା ଜୋର୍ ଧରିଥିଲା। ଗୁରୁବାର ନିଲମୀ ପ୍ରକ୍ରିୟା ପରେ ସୋସିଆଲ ମିଡ଼ିଆ ମାଧ୍ୟମରେ ଅର୍ଜୁନଙ୍କ ନିକଟକୁ ସବୁ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି।