ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ପୁଣି କରୋନା ମୁଣ୍ଡ ଟେକିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୪ ନୂଆ ମାମଲା ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି, ଯାହା ଗତ ଗୋଟିଏ ସପ୍ତାହ ତୁଳନାରେ ସର୍ବାଧିକ।

ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୧୮ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୩୪ ହଜାର ୪ ଶହ ଜଣ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ସଂଖ୍ୟା ୬୫୦ ରହିଛି।

ରାଜ୍ୟରେ ଫେବ୍ରୁଆର ମାସରେ ପ୍ରତିଦିନ ଦୈନିକ ୫୦ରୁ ୬୦ ଭିତରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ। କିନ୍ତୁ ଏହି ଗୋଟିଏ ସପ୍ତାହରେ କରୋନା ମିଟର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୨୧ ତାରିଖରେ ରାଜ୍ୟରେ ୫୮ ଜଣ ଚିହ୍ନଟ ହୋଇଥିଲା ବେଳେ ୨୨ ତାରିଖରେ ୬୯, ୨୩ରେ ୬୨, ୨୪ରେ ୬୮, ୨୫ରେ ୮୯ ନୂଆ ମାମଲା ଚିହ୍ନଟ ହୋଇଥିଲେ। ଏହି ସଂଖ୍ୟାକୁ ଦେଖିଲେ ସ୍ପଷ୍ଟ ହେଉଛି ଯେ ରାଜ୍ୟରେ କରୋନା ଗ୍ରାଫ୍‌ ପୁଣି ଉପରମୁହାଁ ହେବାରେ ଲାଗିଛି।

ସତର୍କ କରାଇଲେ ସରକାର

ଜାନୁଆରିରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା। ଫଳରେ କରୋନା ଆଉ ନାହିଁ ବୋଲି ଲୋକେ ଭାବୁଥିଲେ। କୋଭିଡ ନିୟମକୁ ମଧ୍ୟ ଫୁ କରି ଦେଇଥିଲେ। ଏବେ ପୁଣି କରୋନାକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି। ସଜାଗ ରହିବା ପାଇଁ ସବୁ ଜିଲ୍ଲାପାଳମାନଙ୍କୁ ସରକାର ଚିଠି ଲେଖିଛନ୍ତି।  ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଭଳି ବିଭିନ୍ନ କରୋନା ନିୟମକୁ କଡ଼ାକଡ଼ି କରାଯାଇଛି। ରାଜ୍ୟ ବାହାରୁ ଆସିୁଥିବା ଯାତ୍ରୀମାନଙ୍କର ବିମାନ ମନ୍ଦରରେ ସ୍କ୍ରିନିଂ କରାଯାଉଛି।

କରୋନା ଏକ ଲମ୍ବା ଯୁଦ୍ଧ। ଏବେବି କରୋନା ସହ ଲଢ଼େଇ ଜାରି ରହିଛି। ଏହି ଯୁଦ୍ଧ ଜିତିବା ପାଇଁ ପୂର୍ବଭଳି ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ହାତ ଧୋଇବା ଭଳି ଅଭ୍ୟାସ ବଜାୟ ରଖନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଦେଶରେ ବି ଉପରମୁହାଁ କରୋନା

ଅନ୍ୟପଟେ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ସଂକ୍ରମଣ ବୃଦ୍ଧି ହେବା ପରେ ଦେଶରେ କରୋନା ସଂଖ୍ୟା ବଢ଼ିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୬,୫୭୭ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ୧୨୦ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧,୧୦,୬୩,୪୯୧ରେ ପହଞ୍ଚିଛି ।

Comment