ଓଡ଼ିଶାଲାଇଭ୍ ବ୍ୟୁରୋ

ସ୍ଥାୟୀ ନିଯୁକ୍ତି ଦାବି ନେଇ ମାସ ମାସ ହେଲା ଏଏନଏମ ସ୍ଵାସ୍ଥ୍ୟକର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କୁ ଆଶ୍ଵସ୍ତି ଦେଇଛନ୍ତି। ଯୋଗ୍ୟତା ଭିତ୍ତିରେ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ଶୁକ୍ରବାର ବିଧାନସଭାରେ ବିବୃତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଛନ୍ତି।

ଏନଏନଏମ କର୍ମୀଙ୍କ ପ୍ରସଙ୍ଗରେ ମନ୍ତ୍ରୀ କହିଛନ୍ତି ଯେ, କରୋନା ମହାମାରୀ ସମୟରେ ଏଏନଏମଙ୍କୁ ସର୍ତମୂଳକ ନିଯୁକ୍ତି ଦିଆଯାଇଥିଲା। ୯୦ ଦିନ ପାଇଁ ସେମାନେ ଅସ୍ଥାୟୀ ନିଯୁକ୍ତି ପାଇଥିଲେ। ଏହାବାଦ୍ କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଥିଲା। ତେଣୁ ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। କିନ୍ତୁ ଏବେ ସେମାନଙ୍କ ଯୋଗ୍ୟତା ଅନୁସାରେ ସ୍ଥାୟୀ ନିଯୁକ୍ତି ଦିଆଯିବ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ଏବେ ୧ ହଜାର ୯୯ଟି ସ୍ଵାସ୍ଥ୍ୟକର୍ମୀ ପଦବୀ ଖାଲି ରହିଛି। ତେଣୁ ଧାରଣାରତ ଏଏନଏମମାନଙ୍କୁ ଏହି ଖାଲି ପଦବୀରେ ସ୍ଥାୟୀ ନିଯୁକ୍ତି ଦିଆଯିବ।ଘଟଣାକ୍ରମ

ନଭେମ୍ଵର ମାସ ବେଳକୁ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ପରେ କୋଭିଡ କେୟାର ସେଣ୍ଟର, କ୍ଵାରେଣ୍ଟିନ ସେଣ୍ଟର ଆଦିରେ କାର୍ଯ୍ୟରତ ଏଏନଏମ କର୍ମୀମାନଙ୍କୁ ସରକାର ଛଟେଇ କରିଦେଇଥିଲେ। କିନ୍ତୁ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳୁ ବୋଲି ଦାବି ନେଇ ନଭେମ୍ଵର ୨୭ରୁ ହଜାର ହଜାର ସଂଖ୍ୟାରେ ଏନଏନଏମ ସ୍ଵସ୍ଥ୍ୟକର୍ମୀମାନେ ଭୁବନେଶ୍ଵରର ଲୋୟର ପିଏମଜିରେ ଧାରଣା ଦେଇଥିଲେ।

ମାସ ମାସ ଧରି ଏହି ଧାରଣା ଚାଲିଥିଲେ ମଧ୍ୟ କୌଣସି ବି ସରକାରୀ ବାବୁ ସେମାନଙ୍କ ସମସ୍ୟା ବୁଝିବାକୁ ଆସି ନଥିଲେ। ତେଣୁ ଦୁଇଜଣ ଏଏନଏମ କର୍ମୀ ଆତ୍ମାହୁତି ପାଇଁ ବି ଚେଷ୍ଟା କରିଥଲେ। ଏହାପରେ ସାଧାରଣତନ୍ତ୍ର ଦିବସ ବେଳେ ସେମାନଙ୍କୁ ଜୋର ଜବରଦସ୍ତ କରି ରାସ୍ତାରୁ ଉଠାଯାଇଥିଲା। କିନ୍ତୁ ସ୍ଥାୟୀ ନିଯୁକ୍ତି ଦାବିରେ ସେମାନେ ଧାରଣା ଜାରି ରଖିଥିଲେ।

Comment