ଓଡ଼ିଶାଲାଇଭ୍ ବ୍ୟୁରୋ
ସମ୍ବଲପୁର ଜିଲ୍ଲା ବୁର୍ଲା ଭିସୁଟର ୨୫ ଜଣ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁବାର ୨୪ ଜଣଙ୍କର କରୋନା ରିପୋର୍ଟ ପଜେଟିଭ୍ ଆସିଥିବାବେଳେ, ଆଜି ଆଉ ଜଣେ ଛାତ୍ରଙ୍କ ରିପୋର୍ଟ ମଧ୍ୟ ପଜେଟିଭ୍ ଆସିଛି। ଚିହ୍ନଟ ହେବାପରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। ଉପ ଜିଲ୍ଲାପାଳ ହଷ୍ଟେଲରେ ପହଞ୍ଚି ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି । ଆକ୍ରାନ୍ତ ଛାତ୍ରଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି।
ଅନ୍ୟପକ୍ଷରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ କଲେଜ ଯିବାକୁ ବାରଣ କରାଯାଇଛି। ହଷ୍ଟେଲରେ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ବାହାରକୁ ନଯିବାକୁ କୁହାଯାଇଛି। ହଷ୍ଟେଲ ଭିତରେ ଥିବା ଛାତ୍ରଛାତ୍ରୀଙ୍କୁ ସମସ୍ତ ସେବା ଯୋଗାଇ ଦିଆଯିବ। ଅଫଲାଇନ କ୍ଲାସ ନକରି ଅନଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭିସୁଟ କୁଳପତି ବିଭୂତି ଭୂଷଣ ପତି।
ରାଜ୍ୟରେ କରୋନାକୁ ନେଇ ପୁଣିଥରେ ଆଶଙ୍କା ଦେଖାଗଲାଣି। ଏଥିପାଇଁ ଉଭୟ ରେଳ ଷ୍ଟେସନ ଓ ବିମାନ ବନ୍ଦରରେ କଡ଼ାକଡ଼ି ଭାବେ ପାଳନ ହେଉଛି କରୋନା କଟକଣା। ମୁଖ୍ୟତଃ ୫ ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ, ଛତିଶଗଡ଼ରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଏବେବି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ରହିଛି।