ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଆଜି ୧୦୫ତମ ଜୟନ୍ତୀ। ଏହି ଅବସରରେ ଆଜି ବିଜେଡି କାର୍ଯ୍ୟାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଟୁଆଲ ମାଧ୍ୟମରେ ଯୋଗ ଦେଇ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେଇଛନ୍ତି। ବିଜୁ ପଟ୍ଟନାୟକ ସେବା ଓ ସ୍ୱାଭିମାନର ଆଦର୍ଶ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

‘‘ଓଡ଼ିଶାକୁ ବିକାଶର ଶୀର୍ଷରେ ପହଞ୍ଚାଇବା ଥିଲା ବିଜୁ ବାବୁଙ୍କ ସ୍ୱପ୍ନ। ବିଜୁ ବାବୁଙ୍କ ଆଦର୍ଶକୁ ପାଥେୟ କରି ବିଜେଡି କାମ କରିଚାଲିଛି। ବିଜୁ ବାବୁଙ୍କ ନୀତି, ଆଦର୍ଶ ଚିନ୍ତାଧାରା ଆମର ପ୍ରତ୍ୟେକ ପଦକ୍ଷେପରେ ପ୍ରତିଫଳିତ ହେଉଛି। ତଥାପି ଆମକୁ ଆହୁରି ଆଗକୁ ଯିବାର ଅଛି। ତାଙ୍କ ଜନ୍ମଦିନରେ ପୁଣିଥରେ ଶପଥ ନେବା ଯେ ଓଡ଼ିଶାର ୪ କୋଟି ଲୋକଙ୍କ ସେବା କରିବା ଓ ଓଡ଼ିଶାର ସ୍ୱାଭିମାନ ପାଇଁ ଲଢ଼େଇ ଜାରି ରଖିବା’’, କହିଛନ୍ତି ମୁଖ୍ୟମନ୍ତ୍ରୀ।ସେ ଆହୁରି ମଧ୍ୟ କହିଛନ୍ତି,‘‘ ଯେତେବେଳେ ମାଟି ଘରେ ରହୁଥିବା ଲୋକଟିଏ ପକ୍କା ଘରେ ରହୁଛି, ତା ଘରକୁ ପିଇବା ପାଣି, ବିଜୁଳି ପହଞ୍ଚୁଛି ସେତେବେଳେ ସେମାନେ ଖୁସି ହେଉଛନ୍ତି। ଏହା ହିଁ ଆମ ପାଇଁ ବଡ଼ ପୁରସ୍କାର। ଆଜି ଯେତେବେଳେ ମା’ଟିଏ ପଞ୍ଚାୟତ ଅଫିସରେ ବସି ଗାଁର ବିକାଶ କଥା ବୁଝୁଛି, ମିଶନ ଶକ୍ତିର ମା’ଟିଏ ସ୍ୱାବଲମ୍ବୀ ହୋଇପାରୁଛି ସେତେବେଳେ ବିକାଶର ଉଜ୍ଜ୍ୱଳ ଚିତ୍ର ଦିଶୁଛି। ସରକାରୀ ସ୍କୁଲ ପିଲାଟିଏ ଯେତେବେଳେ ମେଡିକାଲ କିମ୍ବା ଇଞ୍ଜିନିୟରିଂ ପଢ଼ିବା ପାଇଁ ସୁଯୋଗ ପାଉଛି ସେତେବେଳେ ଯୁବ ସମାଜର ସ୍ୱପ୍ନ ସତ ହେଉଛି’’।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜୟନ୍ତୀକୁ ଆଜି ସାରା ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ବିଜେଡି ପକ୍ଷରୁ ସାଇକେଲ ରାଲିର ଆୟୋଜନ କରାଯାଇଛି। କଟକ ଆନନ୍ଦ ଭବନ ନିକଟରୁ ଭୁବନେଶ୍ୱର ବିଜୁ ପଟ୍ଟାନୟକ ବିମାନ ବନ୍ଦରରେ ଯାଏଁ ସାଇକଲେ ରାଲି ହୋଇଛି।

Comment