ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୨୧ରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସିବେ। ବିନା କୋଭିଡ ଟେଷ୍ଟରେ କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କ ପାଖକୁ ଯାଇପାରିବେ ନାହିଁ। ଏନେଇ ରାଜ୍ୟସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସୋମବାର ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତିଙ୍କ ପାଖକୁ ଯିବାକୁ ଥିବା ସମସ୍ତ ଅଧିକାରୀ, କର୍ମଚାରୀଙ୍କର ଆରଟିପିସିଆର ପ୍ରକ୍ରିୟାରେ କୋଭିଡ୍ ଟେଷ୍ଟ କରାଇବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

୨୧ରେ ରାଷ୍ଟ୍ରପତି ରାଉରକେଲା ଏନ୍ଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଏହାପରେ ୨୨ରେ କୋଣାର୍କ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ଭାରତୀୟ ତୈଳ ନିଗମ ପକ୍ଷରୁ କୋଣାର୍କରେ ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବେ। ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବେ।

ବିମାନ ବନ୍ଦରଠୁ ଆରମ୍ଭ କରି ସଭାସ୍ଥଳ ଓ ରହଣୀ ସ୍ଥାନରେ କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରାଯିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀ ଜିଲ୍ଲାପାଳ, ଏନଆଇଟି ଓ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଅଧିକାରୀମାନେ ଭିଡିଓ କନଫରେନ୍ସିଂରେ ମାଧ୍ୟମରେ ସାମିଲ ହୋଇଥିଲେ।

Comment