ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତାରେ ସରକାର। ଏନେଇ ସୋମବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ବିଭିନ୍ନ ସଚିବ, ଜିଲ୍ଲାପାଳ ଓ ଏସ୍‌ପି ସାମିଲ ହେବେ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା।

କରୋନାର ସ୍ଥିତିକୁ ଦେଖି ରାଜ୍ୟରେ ସଟ୍‌ଡାଉନ ଓ ଲକ୍‌ଡାଉନ ଘୋଷଣା କରାଯିବା ସହ ପୁଣିଥରେ ଗ୍ରାମାଞ୍ଚଳରେ କରୋନା ପରିଚାଳନା କମିଟିକୁ ସକ୍ରିୟ କରାଯିବ। ସରପଞ୍ଚ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ କରୋନା ପରିଚାଳନା ଦାୟିତ୍ୱ ଦିଆଯିବ। ଗାଁ ବାହାରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ ଏମାନେ ନଜର ରଖିବେ କହିଛନ୍ତି ଏସଆରସି।ରାଜ୍ୟରେ ଟେଷ୍ଟିଂକୁ ବଢ଼ାଯିବ। ସବୁ କ୍ଷେତ୍ରରେ କରୋନା ଗାଇଡଲାଇନ କିଭଳି କଡ଼ାକଡ଼ି ଭାବେ ପାଳନ କରାଯିବ, ସେନେଇ ପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି। ବିଶେଷକରି ଜନଗହଳିପୂର୍ଣ୍ଣ ସ୍ଥାନରେ ବେଶି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।

କରୋନା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଏସଆରସି, ସ୍ୱାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇଥିଲେ। ଭିଡିଓ କନଫରେନ୍ସିଂ ଜରିଆରେ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ଭୁବନେଶ୍ୱରର ଏକ୍ସଆଇଏମ୍‌ବିକୁ ଆଜି ସିଲ୍ କରାଯାଇଛି । ସେଠାରୁ ଚିହ୍ନଟ ହୋଇଛନ୍ତି ୪୫ କରୋନା ପଜିଟିଭ୍ ।

Comment