ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମକୁ ଫେରୁଛନ୍ତି ଶହ ଶହ ପ୍ରବାସୀ। ଏମାନେ ଟ୍ରେନ ଯୋଗେ ସୁରଟ, ମହାରାଷ୍ଟ୍ର ଓ ହାଇଦ୍ରାବାଦରୁ ଆସି ବ୍ରହ୍ମପୁର ରେଳ ଷ୍ଟେସନରେ ଓହ୍ଲାଇଛନ୍ତି। ଗଞ୍ଜାମରେ ଦଣ୍ଡଯାତ୍ରା ଓ ଅନ୍ୟାନ୍ୟ ପାରମ୍ପରିକ ପର୍ବକୁ ଦୃଷ୍ଟିରେ ରଖି ଏମାନେ ନିଜ ସ୍ଥାନକୁ ଫେରିଥିବା ଅନୁମାନ କରାଯାଉଛି। କିନ୍ତୁ କରୋନା ଲେଉଟାଣି ସମୟରେ ପ୍ରବାସୀଙ୍କ ଘର ବାହୁଡ଼ାକୁ ନେଇ ଏବେ ଚିନ୍ତାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ।

ଦେଶର ଅଧିକ ସଂକ୍ରମିତ ହୋଇଥିବା ରାଜ୍ୟ ଏବଂ ଅଞ୍ଚଳମାନଙ୍କରୁ ପ୍ରବାସୀମାନେ ଫେରୁଛନ୍ତି। ତେଣୁ ପ୍ରଶାସନ ପକ୍ଷରୁ ରେଳ ଷ୍ଟେସନରେ ସେମାନଙ୍କର ସ୍କ୍ରିନିଂ କରାଯାଉଛି। ଯେଉଁମାନଙ୍କଠାର ଲକ୍ଷଣ ଦେଖାଯିବ, ସେମାନଙ୍କର ଟେଷ୍ଟ କରାଯିବ। ଯଦି କୌଣସି ବ୍ୟକ୍ତିର ପଜିଟିଭ୍ ଆସେ, ତେବେ ତାଙ୍କୁ ସଙ୍ଗରୋଧରେ ରଖାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଦେଶରେ କରୋନା ଗ୍ରାଫ ଉପରମୁହାଁ ହୋଇଥିବାବେଳେ, ରାଜ୍ୟରେ ସ୍ଥିତି ଧିରେଧିରେ ବିଗିଡ଼ିବାରେ ଲାଗିଛି। ଏହି ସମୟରେ ଏତେ ସଂଖ୍ୟକ ପ୍ରବାସୀଙ୍କ ଘର ମୁହାଁ ଜିଲ୍ଲାବାସୀ ଓ ରାଜ୍ୟବାସୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି।

୨୦୨୦ ବର୍ଷ ଗଞ୍ଜାମରେ କରୋନା ସ୍ଥିତି ସାଙ୍ଗାତିକ ହୋଇଥିଲା। ତେଣୁ ଚଳିତ ବର୍ଷ ସେଭଳି ପରିସ୍ଥିତି ଯେମିତି ନହୁଏ, ସେଥିପ୍ରତି ସଜାଗ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ରେଳ ଷ୍ଟେସନରେ ଚେକିଂ କରାଯାଇ ସେମାନଙ୍କୁ ବାହାରକୁ ଛଡ଼ାଯାଉଛି। ଅନ୍ୟପକ୍ଷରେ ଜିଲ୍ଲାରେ ପାରମ୍ପରିକ ଯାତ୍ରାକୁ ନେଇ ପ୍ରଶାସନ ତରଫରୁ କଟକଣା ଲାଗୁ କରାଯାଇଛି।

Comment