ଓଡ଼ିଶାଲାଇଭ୍ ବ୍ୟୁରୋ

ପିପିଲି ଉପନିର୍ବାଚନ ପାଇଁ ଶୁକ୍ରବାର ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଛି। ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ରୁଦ୍ର ମାର୍ଚ୍ଚ ୩୦ରେ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ପିପିଲି ଉପନିର୍ବାଚନକୁ ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଜେଡି ପର୍ଯ୍ୟବେକ୍ଷକ ପ୍ରତାବ ଦେବ, ସାଙ୍ଗଠନିକ ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ବିଧାୟକ ପ୍ରୀତିରଞ୍ଜନ ଘଡେଇ, ପୁଷ୍ପେନ୍ଦ୍ର ସିଂ ଦେଓ ପ୍ରମୁଖ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

ବୈଠକ ପରେ ପ୍ରତାପ ଦେବ କହିଛନ୍ତି, “ବିଜୁ ଜନତା ଦଳ ସଭାପତି ଥରେ ନିଷ୍ପତ୍ତି ନେଲାପରେ, ସଭାପତିଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ଦଳ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି। ପୂର୍ବ ଉପନିର୍ବାଚନ ଭଳି ଜି ଜାନ୍ ଲଗାଇ ଲଢିବୁ ଏବଂ ଜିତିବା ପାଇଁ ଲଢିବୁ। ନାମାଙ୍କନ ପତ୍ର ଦାଖଲ ପରେ ରଣକ୍ଷେତ୍ରକୁ ଓହ୍ଲାଇବୁ।”

ପିପିଲି ଉପନିର୍ବାଚନ ପାଇଁ ବିଜେଡି ଏକ ସ୍ୱତନ୍ତ୍ର କମିଟି ଗଠନ କରିଛି। ଏଥିରେ ଯୁବପିଢ଼ୀ, ଛାତ୍ର, ମହିଳା ଓ ବରିଷ୍ଠ ନେତାମାନଙ୍କୁ ଦଳ ତରଫରୁ ଦାୟିତ୍ୱ ଦିଆଯାଇଛି। ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ମେ’ ୨ ରେ ଏହାର ଫଳାଫଳା ପ୍ରକାଶ ପାଇବ।

Comment