ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ପାଇଁ ପୁଣି ମାନ୍ଦାରେ ପଡ଼ିଥିବା ବିବାହ ଉତ୍ସବକୁ ନେଇ ଏବେ ଆୟୋଜକମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣିଥରେ ଉପରମୁହାଁ ହୋଇଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ପୁଣି ବିଭିନ୍ନ କାର୍ଯ୍ୟରେ କଟକଣା ଲଗାଇବା ଆରମ୍ଭ କରିଦେଇଛନ୍ତି। ଏହାରି ମଧ୍ୟରେ ବିବାହ ଆଦି ଉତ୍ସବରେ ଅତିଥିଙ୍କ ସଂଖ୍ୟାକୁ ମଧ୍ୟ ସରକାର ହ୍ରାସ କରିଛନ୍ତି। ଆଗରୁ ଯେଉଁଠି ୫୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇ ପାରିବାର ଅନୁମତି ଥିଲା ଏବେ ତାହାକୁ ୨୦୦ରେ ସୀମିତ ରଖାଯାଇଛି। ଏଭଳି ପରିସ୍ଥିତିରେ ବିବାହ ଆୟୋଜକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।ବିଶେଷ କରି ରାଜଧାନୀ ଭୁବନେଶ୍ଵରରେ ସ୍ଥିତି ଏଭଳି ହୋଇଛି ଯେ ଉଭୟ କନ୍ୟା ଓ ବର ପକ୍ଷ ଆମନ୍ତ୍ରିତ ଅତିଥିମାନଙ୍କୁ ପ୍ରୀତିଭୋଜନକୁ ନଆସିବା ପାଇଁ ଅନୁରୋଧ କରୁଛନ୍ତି। ପ୍ରୀତିଭୋଜନ କେବେ ହେବ ସେ ନେଇ ପୁଣି ସୂଚିତ କରିବେ ବୋଲି ଅତିଥିମାନଙ୍କୁ କୁହାଯାଉଛି। ସରକାରଙ୍କ ୨୦୦ କଟକଣାକୁ ମାନିବା ପାଇଁ କିଛି ପରିବାର ଭିନ୍ନ ଭିନ୍ନ ସ୍ଥାନରେ ବାହାଘର ଭୋଜି ଆୟୋଜନ କରୁଥିବା ଦେଖାଯାଉଛି।

ସରକାର ଅକସ୍ମାତ ଏହି ଘୋଷଣା କରିବା ପରେ ବିବାହ ଆୟୋଜନକାରୀ ବିକଳ୍ପ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେଉଛନ୍ତି। ତେଣେ ବିବାହ ବେଦୀରେ କଟକଣା ଲାଗୁ ହୋଇଥିବା କାରଣରୁ ଲୋକେ ସାଜସଜ୍ଜା ଖର୍ଚ୍ଚ ମଧ୍ୟ କମାଇ ଦେଇଛନ୍ତି। ଏହା ଫଳରେ ଟେଣ୍ଟ ହାଉସ ବ୍ୟବସାୟୀ ମାନେ ମଧ୍ୟ ପ୍ରବଳ ଘାଟାରେ ପଡ଼ିଛନ୍ତି।

Comment