ପ୍ରଦୀପ ମହାପାତ୍ର
ବ୍ରହ୍ମପୁର ସହର ଚଳଚ୍ଚିତ୍ର ମାୟାରେ ଦୀର୍ଘଦିନରୁ ଆବଦ୍ଧ। ଏଠାରେ ରାଜ୍ୟର ପ୍ରଥମ ସ୍ଥାୟୀ ପ୍ରେକ୍ଷାଳୟ ‘ଶ୍ରୀ ସୀତାରାମ ବିଳାସ ଟକିଜ’ ୧୯୨୮ରେ ପ୍ରତିଷ୍ଠିତ ହୋଇଥିଲା। ଏଥିପୂର୍ବରୁ ତମ୍ୱୁ ଟାଣି ଚଳଚ୍ଚିତ୍ର ପ୍ରଦର୍ଶନର ବ୍ୟବସ୍ଥା କରାଯାଉଥିଲା। ଏସଏସଭିଟିରେ ପ୍ରଥମେ ମୂକ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଥିଲା। ରୁପେଲି ପରଦା ପାର୍ଶ୍ୱରେ ଏକ ବ୍ୟାଣ୍ଡ ବାଦକ ଦଳ ଆବହ ସଂଗୀତ ପରିବେଷଣ କରୁଥାନ୍ତି। ଜଣେ ସ୍ଥାନୀୟ ଭାଷ୍ୟକାର ଲାଉଡସ୍କିକର ଯୋଗେ ମୂକ ଚଳଚ୍ଚିତ୍ରରେ ପ୍ରଦର୍ଶିତ ଦୃଶ୍ୟାବଳୀ ସଂପର୍କରେ ଟିପ୍ପଣି ପ୍ରଦାନର ବ୍ୟବସ୍ଥା ରହିଥାଏ। କ୍ରମେ ମୂକ ଚଳଚ୍ଚିତ୍ର ପ୍ରଦର୍ଶନରୁ ସବାକ ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ପରେ ସିନେମାସ୍କୋପ ସ୍କ୍ରିନର ବ୍ୟବସ୍ଥା ହେଲା। ତେବେ ତ୍ରି-ଡି, ଆଇ-ମାସ୍କ ସ୍କ୍ରିନ ଆଡ଼କୁ ଯାଇପାରି ନାହିଁ।
ବ୍ରହ୍ମପୁରରେ ଚଳଚ୍ଚିତ୍ର ପ୍ରଦର୍ଶନରେ ଅନୁପ୍ରାଣିତ ହୋଇ କେତେକ ସ୍ଥାନୀୟ ଯୁବକ ଚଳଚ୍ଚିତ୍ର ନିର୍ମାଣ ଓ ନିର୍ଦ୍ଦେଶନା ପ୍ରତି ଆଗ୍ରହ ପ୍ରକାଶ କରିଆସିଛନ୍ତି। ସେମାନଙ୍କ ମଧ୍ୟରେ ଗଣେଶ ମହାପାତ୍ର, ଶିଶିର ମିଶ୍ର, ଜଲାଲ ଆଦେନୀ ଓ ରଘୁ ମିଶ୍ର ପ୍ରମୁଖ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭାବେ ଖ୍ୟାତ। ଗଣେଶ ମହାପାତ୍ର ଓ ଶିଶିର ମିଶ୍ର ମୁମ୍ୱାଇରେ ଅବସ୍ଥାପିତ ହୋଇଥିବା ସ୍ଥଳେ ଜଲାଲ ଆଦେନୀ କିଛି କାଳ ମୁମ୍ୱାଇ ଓ କଟକ ବାସିନ୍ଦା। କେବଳ ରଘୁ ମିଶ୍ର ବ୍ରହ୍ମପୁର ଭାପୁର ବଜାର ପାନବିକା ସାହୀରେ ବସବାସ କରୁଥିଲେ। ସଂଯୋଗବଶତଃ ଗଣେଶ ମହାପାତ୍ର ଓ ଜଲାଲ ଆଦେନୀ ତାଲିମପ୍ରାପ୍ତ ଟେକ୍ସଟାଇଲ ଓ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଥିଲେ ଏବଂ ଶିଶିର ମିଶ୍ର ରାସାୟନ ଶାସ୍ତ୍ର ଅଧ୍ୟାପକ ଓ ରଘୁ ମିଶ୍ର ଚିକିତ୍ସକ ଭାବେ କାର୍ଯ୍ୟ କରିଥିଲେ। ଗଣେଶ ମହାପାତ୍ର ଓ ରଘୁ ମିଶ୍ରଙ୍କ ବିୟୋଗ ଘଟିଥିବା ସ୍ଥଳେ ଜଲାଲ ଆଦେନୀ ୮୫ ବର୍ଷ ବୟସରେ ୨୦୨୧ ମାର୍ଚ୍ଚ ୨୯ ତାରିଖ ହୋଲି ଦିନ ଭୋରରେ ହୃଦଘାତରେ କଟକ ବାସଭବନରେ ପରଲୋକ ଗମନ କରିଛନ୍ତି।
ବ୍ରହ୍ମପୁର ପରିବାର ଭଞ୍ଜନଗର ସ୍ଥାୟୀ ବାସିନ୍ଦା। ବ୍ରହ୍ମପୁର ଭୀମାରାଓ ପେଟାରେ କିଛିକାଳ ବସବାସ କରିଥିଲେ। ଜଲାଲ କୁଇନ ମିସନ ହାଇସ୍କୁଲ ଓ ଖଲ୍ଲିକୋଟ କଲେଜରେ ଶିକ୍ଷାସାରି କୋଲକାତାର ଯାଦବପୁର ଇଂଜିନିୟରିଂ କଲେଜରୁ ଶିକ୍ଷାର୍ଜନ କରିଥିଲେ। ସେ କିଛି କାଳ ରେଳବିଭାଗରେ ନିଯୁକ୍ତି ପାଇ ଚାକିରି କରିବା ପରେ ଚାକିରି ଛାଡ଼ି ବିଦ୍ୟୁତ ଠିକାଦାର ଭାବେ କାର୍ଯ୍ୟ କରିଥିଲେ।
ସେ ବ୍ରହ୍ମପୁରରେ ସପ୍ତମ ଦଶକ ଆରମ୍ଭ ବେଳକୁ ‘କିଏ ବୁଝିବ’ ଶୀର୍ଷକ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ନିମନ୍ତେ ପ୍ରାଥମିକ କାର୍ଯ୍ୟ ଆରମ୍ଭ କରିଥିଲେ। କମାପଲ୍ଲୀ ଛକରେ ଏକ ଦୁଇ ମହଲା କୋଠାରେ ତାଙ୍କରି ଚଳଚ୍ଚିତ୍ର କମ୍ପାନି କାର୍ଯ୍ୟାଳୟ ଖୋଲିଥିଲା। ତେବେ ଚଳଚ୍ଚିତ୍ର ନିର୍ମାଣ କାମ ବିଶେଷ ଅଗ୍ରଗତି ନ କରିପାରିବାରୁ ଏକ ଥିଏଟର ଦଳ ଗଢ଼ି ନାଟକ ପରିବେଷଣ କରିଥିଲେ। ଗୋଟିଏ ମଞ୍ଚରେ ଦୁଇ ଗୋଟି ଦୃଶ୍ୟ ଉପସ୍ଥାପନ ଭଳି ପରୀକ୍ଷାନିରୀକ୍ଷା ସେ ସମୟରେ ବେଶ ଚହଳ ସୃଷ୍ଟି କରିଥିଲ ।
ଚଳଚ୍ଚିତ୍ର କିମ୍ୱା ନାଟକ କେଉଁଥିରେ ସଫଳତା ନ ମିଳିପାରିବାରୁ ସେ ବ୍ରହ୍ମପୁରରୁ କଟକ ସ୍ଥାନାନ୍ତରିତ ହୋଇଥିଲେ। ସେଠାରେ ବକ୍ସି ବଜାର ପେନସେନ ଲେନରେ ଘର କରି ରହିଥିଲେ। ୧୯୭୭ରେ ତାଙ୍କରି ପ୍ରଯୋଜନା ଓ ନିର୍ଦ୍ଦେଶନାରେ ‘ଅନୁତାପ’ ନିର୍ମିତ ହୋଇଥିଲା। ପରେ ‘ହୀରା-ମୋତି-ମାଣିକ’ ଓ ‘ବାସନ୍ତୀ ଅପା’ ନାମକ ଦୁଇଗୋଟି ଚଳଚ଼ିତ୍ର ରିଲିଜ ହୋଇଥିଲା। ତେବେ ‘ପୂଜାରିଣୀ’ ଚଳଚ୍ଚିତ୍ର ନିର୍ମାଣ ସଂପୂର୍ଣ୍ଣ ହୋଇ ରିଲିଜ ହୋଇପାରି ନଥିଲା ।
ଅଷ୍ଟମ ଦଶକ ଆରମ୍ଭରୁ ସେ ମୁମ୍ୱାଇକୁ ନିଜର କର୍ମକ୍ଷେତ୍ର ରୂପେ ବାଛିଥିଲେ। ବଲିଉଡରେ ପ୍ରାୟ ପନ୍ଦର ବର୍ଷ ରହେଣୀ କାଳରେ ‘ଜମାନା-କ୍ୟା-କହେଗା’ (୧୯୮୨), ‘ହମନେ-ପ୍ୟାର-କିୟା’ (୧୯୯୨), ‘ପ୍ରେମ ଉପହାର’ ଓ ‘ପ୍ରେମ କୁମାର’ (୧୯୯୪) ଭଳି ହିନ୍ଦି ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ପୁଣି କଟକ ଫେରି ଆସି ମୁଖ୍ୟତଃ ସଂଗୀତ ଚର୍ଚ୍ଚାରେ ବାକିତକ ଜୀବନ କଟାଇଥିଲେ। ତାଙ୍କରି ଝିଅ ଜଣେ କଣ୍ଠ ଶିଳ୍ପୀ ଓ ପୁଅ ତବଲା ବାଦକ। ସ୍କୁଲରେ ପଢ଼ିଲା ବେଳେ ନାରୀ ଭୂମିକାରେ ନାଟକରେ ଅଭିନୟଠାରୁ ଆରମ୍ଭ କରି ଶେଷ ଜୀବନ ଯାଏଁ ମ୍ୟୁଜିକ ଆଲବମ, ଇଭେଣ୍ଟ ଓ ସୋସିଆଲ ମିଡ଼ିଆରେ ଉପସ୍ଥିତି ଭଳି ସଦାସର୍ବଦା କଳାସଂସ୍କୃତି ସହ ସଂଯୁକ୍ତ ରହିଆସିଥିଲେ … ବିଫଳତା ତାଙ୍କରି ବାଟ ଓଗାଳି ପାରିନଥିଲା।
ଜଲାଲ ଆଦେନୀଙ୍କ ହାଇସ୍କୁଲ, କଲେଜ ଓ ସିନେମା-ଥିଏଟର ଜୀବନର ଆଦ୍ୟଭାଗ ବ୍ରହ୍ମପୁରରେ କଟିଥିଲା। ସହରର ସାଂସ୍କୃତିକ ମାହୋଲ ତାଙ୍କୁ ବିମୋହିତ କରିଥିଲା। ଘରେ ବଡ଼ପୁଅ ହିସାବରେ ବାପା ମାଆ ଜଲାଲ ଇଞ୍ଜିନିୟର ହେଉ ବୋଲି ଚାହୁଁଥିଲେ। ସେ ଇଂଜିନିୟରିଂ ଶିକ୍ଷାଲାଭ କରି ନିଯୁକ୍ତି ଏବଂ ଠିକାଦାର ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ତେବେ ସିନେମା ଓ ସଙ୍ଗୀତର ମାୟା କେବଳ ତାଙ୍କୁ କାହିଁକି ତାଙ୍କରି ପରିବାରକୁ ସୃଜନ କ୍ଷେତ୍ରକୁ ଟାଣି ଆଣିଥିଲା। ଜଲାଲଙ୍କ ସଂଘର୍ଷର କାହାଣୀ ପ୍ରତିକୂଳ ପରିବେଶରେ କଳାକାରଭାବେ ନିଜକୁ ପ୍ରତିଷ୍ଠିତ କରିବା ଲାଗି ଉଦ୍ୟମରତ ବ୍ରହ୍ମପୁରର ସଂସ୍କୃତିପ୍ରେମୀଙ୍କୁ ସବୁବେଳେ ଉଦବୁଦ୍ଧ କରିବ।
ସୌଜନ୍ୟ: ‘ବ୍ରହ୍ମପୁର ଡ଼ାଏରୀ’ (ଅନୁପମ ଭାରତ)