ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ୧୦ ଜିଲ୍ଲା ପାଇଁ ନାଇଟ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ଵଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରି।

ଆସନ୍ତା ୫ ତାରିଖରୁ ଏହି ସବୁ ଜିଲ୍ଲାଗୁଡ଼ିକରେ ରାତି ୧୦ଟାରୁ ଭୋର୍ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ ଉକ୍ତ ଜିଲ୍ଲାଗୁଡ଼ିକରେ ଲୋକମାନେ ବାହାରକୁ ବାହିରି ପାରିବେ ନାହିଁ। ଦୋକାନ ବଜାର, ଅଫିସ ଆଦି ସମସ୍ତ ପ୍ରତିଷ୍ଠାନକୁ ବନ୍ଦ ରଖାଯିବ। କେବଳ ମେଡିକାଲ ଏବଂ ଅନ୍ୟ ସମସ୍ତ ଜରୁରୀ କାମରେ ଯିବାକୁ ଅନୁମତି ମିଳିବ। ଏଥି ସହିତ ସମସ୍ତ ଶିଳ୍ପ କାରଖାନାଗୁଡ଼ିକ ମଧ୍ୟ ଖୋଲା ରହିବ।

ନାଇଟ କର୍ଫ୍ୟୁ ଲାଗିଥିବା ଜିଲ୍ଲାଗୁଡ଼ିକରେ ଡାକ୍ତର, ପାରା ମେଡିକାଲ ଷ୍ଟାଫ୍, ପୋଲିସ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ରାତି ସମୟରେ ଯା ଆସ କରିବାକୁ ଅନୁମତି ରହିଛି। ଏଥିପାଇଁ ସେମାନଙ୍କୁ କୌଣସି ପାସ୍‌ର ଆବଶ୍ୟକତା ନାହିଁ। ପରିଚୟପତ୍ର ଦେଖାଇ ସେମାନେ ଯାତାୟତ କରିପାରିବେ।

ସେହିପରି ନାଇଟ କର୍ଫ୍ୟୁ ସମୟରେ ବିଜୁଳି, ଅଗ୍ନିଶମ, ଟେଲିକମ୍, ଜଳ ଯୋଗାଣ, ଟ୍ରେନ୍, ବିମାନ ସେବା ଆଦି ଜାରି ରହିବ। ପେଟ୍ରୋଲ ପମ୍ପ୍, ସିଏନ୍‌ଜି ଷ୍ଟେସନ ଆଦି ମଧ୍ୟ ଖୋଲା ରହିବ। ସେହିପରି ନାଇଟ କର୍ଫ୍ୟୁ ସମୟରେ ହୋମ୍ ଡେଲିଭରିକୁ ଅନୁମତି ଦିଆଯାଇଛି।

Comment