ଓଡ଼ିଶାଲାଇଭ୍ ବ୍ୟୁରୋ

କୋଟିଆକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ସୀମା ବିବାଦ ତୁଟିବାର ନାଁ ଧରୁ ନଥିବା ବେଳେ ଏବେ ପୁଣି ସେଠାରେ ନିର୍ବାଚନ କରିବାକୁ ଯାଉଛି ଆନ୍ଧ୍ର। ଆସନ୍ତା ମାସ ୮ ତାରିଖରେ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତରେ ଜିଲ୍ଲାପରିଷଦ ଏବଂ ସମିତି ସଭ୍ୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ଜାରି କରିଛି ଆନ୍ଧ୍ର ସରକାର।

ଆନ୍ଧ୍ରର ସାଲୁର ବ୍ଳକ ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୋଟିଆ ପଞ୍ଚାୟତର ୨ଟି ଅଞ୍ଚଳରେ ଆସନ୍ତା ଏପ୍ରିଲ ୮ ତାରିଖରେ ସମିତି ସଭ୍ୟ ପଦବୀ ଏବଂ ଗୋଟିଏ ଜିଲ୍ଲା ପରିଷଦ ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ ହେବ। କୋଟିଆର ଫାଟୁ ସିନେରୀ, ଫଗୁଣ ସିନେରୀ, ତଳଗଞ୍ଜେଇ ପଦର ଆଦି ୩ଟି ପଞ୍ଚାୟତର ଲୋକେ ଏହି ନିର୍ବାଚନରେ ସାମିଲ ହୋଇ ଭୋଟ ଦେବେ।

କୋରାପୁଟ ଜିଲ୍ଲାର କୋଟିଆକୁ ପଡ଼ୋଶୀ ଆନ୍ଧ୍ର ନିଜର ଏକ ପଞ୍ଚାୟତ ବୋଲି ଦାବି କରି ଆସୁଛି। ଏପରିକି ଗତ ଫେବ୍ରୁଆରିରେ ଆନ୍ଧ୍ର ସରକାର ସେଠାରେ ଜୋର ଜବରଦସ୍ତ କରି ପଞ୍ଚାୟତ ନିର୍ବାଚନ ମଧ୍ୟ କରିଥିଲେ। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ର ମଧ୍ୟରେ ବିବାଦ ଘନେଇଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲା ଓଡ଼ିଶା। ବର୍ତ୍ତମାନ ଏହି ମାମଲା କୋର୍ଟରେ ବିଚାରଧୀନ ରହିଛି। ତଥାପି  ଆନ୍ଧ୍ର ସରକାର ପୁଣି କୋଟିଆରେ ନିର୍ବାଚନ କରିବାକୁ ପ୍ରସ୍ତୁତ ହୋଇଛନ୍ତି।

Comment