ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭା ପରିସରରେ ପୂରା ରାତି ଧାରଣାରେ ବସିବା ପରେ ବିଜେପି ବିଧାୟକମାନେ ସୋମବାର ଦିନ ରାଜ୍ୟପାଳଙ୍କୁ ଭେଟିବେ। ଧାରଣାରୁ ଓହରିବା ପାଇଁ ଓଡ଼ିଶା ବିଜେପି ପ୍ରଭାରୀ ଭିପି ସିଂହ ତୋମର ଅନୁରୋଧ କରିବା ପରେ ବିଧାୟକମାନେ ଏହି ନିଷ୍ପତ୍ତି ନେଇଛନ୍ତି।

ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟପାଳଙ୍କୁ ସାକ୍ଷାତ କରି ନିକଟରେ ଗୃହରେ ପାସ ହୋଇଥିବା ବିଲକୁ ସମ୍ମତି ପ୍ରଦାନ ନକରିବା ପାଇଁ ସେମାନେ ଅନୁରୋଧ କରିବେ। ସେ ଅଭିଯୋଗ କରିଛନ୍ତି ଯେ କିଛି ଗୁରୁତ୍ୱପୂର୍ଣ୍ଣ ବିଲକୁ ବିନା ଆଲୋଚନାରେ ଗୃହରେ ବାଚସ୍ପତି ପାରିତ କରି ନେଇଛନ୍ତି। ଏଥିସହିତ ସେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନିରପେକ୍ଷତାକୁ ମଧ୍ୟ ପ୍ରଶ୍ନ କରିଛନ୍ତି।

ବିଜେପିର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଲେ ଯେ ବିଲକୁ ଆଲୋଚନା ନକରି ଓ ବିରୋଧୀ ଦଳର ସଦସ୍ୟଙ୍କ କଥା ନଶୁଣି ବାଚସ୍ପତି ଯେଉଁଭଳି ତରବରିଆ ଭାବରେ ବିଲଗୁଡିକୁ ପାସ କରାଇନେଲେ ସେଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଶାସକ ଦଳର ସଦସ୍ୟଙ୍କ ଚାପରେ ପଡ଼ ସେ ଏଭଳି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବିଧାୟକ ଜୟ ନାରାୟଣ କହିଛନ୍ତି ଯେ ଜୋତା ଫିଙ୍ଗିବା ଘଟଣାରେ ସେ ଓଡ଼ିଶାର ଲୋକଙ୍କୁ ବରଂ କ୍ଷମା ମାଗିବେ କିନ୍ତୁ ବାଚସ୍ପତିଙ୍କୁ ନୁହେଁ।

ପୂର୍ବରୁ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଧାରଣାରତ ବିଧାୟକଙ୍କୁ ଭେଟିବା ପରେ ଅଗଣତାନ୍ତ୍ରିକ  କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଏପ୍ରିଲ ୩ରେ ବିଧାନସଭାରେ ସଂଶୋଧିତ ଲୋକାୟୁକ୍ତ ବିଲ୍ ପାରିତ ପରେ ବିଜେପି ବିଧାୟକ ବାଚସ୍ପତିଙ୍କ ଉପରକୁ ଇୟର ଫୋନ୍, ଡଷ୍ଟବିନ୍ ସହ ଚପଲ ଫିଙ୍ଗିଥିଲେ। ଏହି ଘଟଣାରେବିଧାୟକ ମୋହନ ମାଝି, ଜୟନାରାୟଣ ମିଶ୍ର, ବିଷ୍ଣୁ ସେଠୀଙ୍କୁ ଚଳିତ ଅଧିବେଶନରୁ ବାଚସ୍ପତି ନିଲମ୍ବତ କରିଥିଲେ।

Comment