ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ କୋଭିଡ ସ୍ଥିତି ନେଇ ମଙ୍ଗଳବାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଗାମୀ ଦିନରେ ରାଜ୍ୟରେ କରୋନା ସଂକ୍ରମଣ ଯେପରି ନ ବଢ଼େ ସେଥିପାଇଁ ଏକ ୧୦ ଦିନିଆ ସ୍ପେଶାଲ ଡ୍ରାଇଭ କରିବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଛତିଶଗଡ଼ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଫୋକସ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସଂକ୍ରମଣ ହ୍ରାସ କରିବାକୁ ସାରା ରାଜ୍ୟରେ ଅଧିକ ପୁଲିସ ମୁତୟନ ପାଇଁ ଡିଜିପିଙ୍କୁ କହିଛନ୍ତି ନବୀନ। ଏଥିସହ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ ପାଇଁ ଅଧିକ ପୁଲିସ ମୁତୟନ କରିବାକୁ କୁହାଯାଇଛି। ଛତିଶଗଡ଼ ସୀମାନ୍ତ ଜିଲ୍ଲା ଉପରେ ରାଜ୍ୟ ସରକାର ଫୋକସ୍‌ ଦେଇଛନ୍ତି। ସୀମାନ୍ତ ଜିଲ୍ଲାରେ ବଢୁଥିବା କରୋନା ସଂକ୍ରମଣକୁ ଦେଖି ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରମୁଖଙ୍କୁ ଗ୍ରାଉଣ୍ଡ ଜିରୋକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ପଶ୍ଚିମ ଓଡ଼ିଶାରେ ଅଧିକ ସଂଖ୍ୟକ ଡାକ୍ତର, ପାରାମେଡିକାଲ୍‌ ଷ୍ଟାଫ୍‌ ଓ ଲ୍ୟାବ୍‌ ଟେକ୍ନିସିଆନ୍‌ ମୁତୟନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଅନ୍ୟପଟେ ଅକ୍ସିଜେନ ସୁବିଧା ଥାଇ ଯଥେଷ୍ଟ ଆମ୍ବୁଲାନ୍ସ ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମ୍ବୁଲାନ୍ସ ନଆସିବା, ହସ୍ପିଟାଲରେ ବେଡ୍‌ ନଥିବା ଆଦି ଅସୁବିଧାକୁ ଗ୍ରହଣ କରାଯିବନି ବୋଲି ମୁଖ୍ୟମନ୍ତ୍ରୀ ରୋକଠୋକ୍ କହିଛନ୍ତି। ଏନେଇ ଯେମିତି କିଛି ଅଭିଯୋଗ ନଆସିବ, ସେନେଇ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ।ଆଜିର ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର, ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

Comment