ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ। ‘ହେଲ୍‌ଥ ଇଜ ୱେଲଥ୍‌’ ଅର୍ଥାତ୍ ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ କୁହାଯାଇଥାଏ। ଏହି ଉକ୍ତିଟି କେବଳ ମଣିଷଜଗତ ପାଇଁ ପ୍ରଯୁଜ୍ୟ ତାହା ନୁହେଁ ସମଗ୍ର ଜୀବଜଗତ ପାଇଁ ଏହା ଅତ୍ୟନ୍ତ ଜରୁରୀ। କୌଣସି କାର୍ଯ୍ୟକୁ ସୁଫଳ କରିବାକୁ ହେଲେ ପ୍ରଥମେ ଶରୀର ଓ ମନକୁ ସୁସ୍ଥ ରଖିବାକୁ ପଡ଼ିବ।

୨୦୨୦ବର୍ଷଠାରୁ ସମଗ୍ର ବିଶ୍ୱକୁ କବଳିତ କରିଛି କରୋନା ମହାମାରୀ। ଏହି ମହାମାରୀଠାରୁ ରକ୍ଷା ପାଇବା ପାଇଁ ଟିକା ପ୍ରସ୍ତୁତ ହୋଇଥିଲେ ହେଁ, ଏପର୍ଯ୍ୟନ୍ତ ଆମେ କେହି ସୁରକ୍ଷିତ ନାହାଁନ୍ତି। ପ୍ରତ୍ୟେକ ସ୍ଥାନରେ ସୁସ୍ଥ ସ୍ୱାସ୍ଥ୍ୟ ଜଗତ ଗଠନ କରିବାର ଏହାହିଁ ହେଉଛି ପ୍ରକୃତ ସମୟ।

ପ୍ରତିବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏପ୍ରିଲ ୭ରେ ଏହି ଦିବସକୁ ପାଳନ କରିଥାଏ। ଏହି ଦିନର ଉଦ୍ଦେଶ୍ୟ ହେଉଛି ସମଗ୍ର ବିଶ୍ୱର ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବା ଏବଂ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ଲୋକଙ୍କୁ ସଚେତନ କରାଇବା। ୧୯୪୮ ମସିହାରେ ଏପ୍ରିଲ ୭ ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ୧୯୫୦ରୁ ଏହା କାର‌୍ୟ୍ୟକାରୀ ହୋଇଥିଲା। ଯେତେବେଳେ ଏହାର ପ୍ରଥମ ସଭା ଅନୁଷ୍ଠିତ ହୋଇଥିଲା, ସେତେବେଳେ ନିଷ୍ପତ୍ତି ହୋଇଥିଲା ଯେ ପ୍ରତିବର୍ଷ ଏପ୍ରିଲ ୭ କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯିବ।

କରୋନା ସମୟରେ କେମିତି ରହିବେ ଫିଟ୍‌?

କରୋନା ମହାମାରୀର ଗୋଟିଏ ମାତ୍ର ଉପଯୁକ୍ତ ଚିକିତ୍ସା ସଚେତନତା। ଆମେ ଏପରି କିଛି ପଦକ୍ଷେପ ନେଇପାରିବା, ଯାହା ରୋଗର ଆଶଙ୍କା ହ୍ରାସ କରିପାରିବ।

  • ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ।
  • ବାରମ୍ବାର ସାବୁନ୍‌ରେ ହାତ ଧୁଅନ୍ତୁ।
  • ମୁହଁରେ ମାସ୍କ ବ୍ୟବହାର କରନ୍ତୁ।
  • ସାମାଜିକ ଦୂରତା ରକ୍ଷା କରନ୍ତୁ।
  • ଆବଶ୍ୟକ ନଥିଲେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ।
  • ବିଶୁଦ୍ଧ ଜଳ ବ୍ୟବହାର କରନ୍ତୁ।
  • ଉତ୍ତମ ସ୍ୱାସ୍ଥ୍ୟ ପାଇଁ, ଆପଣ ପୁଷ୍ଟିକର ଖାଦ୍ୟ ଖାଇବା ଜରୁରୀ।
  • ଫିଟ୍ ରହିବାକୁ, ଆପଣ ପ୍ରତିଦିନ ବ୍ୟାୟାମ କରିବା ଉଚିତ୍।
  • ସୁସ୍ଥ ରହିବା ପାଇଁ ଆବଶ୍ୟକ ପରିମାଣର ଶୋଇବା ଦରକାର। ସେଥିପାଇଁ ଆପଣ ଦିନକୁ ୭ରୁ ୮ ଘଣ୍ଟା ଶୋଇପାରିବେ।

Comment