ଓଡ଼ିଶାଲାଇଭ୍ ବ୍ୟୁରୋ

  • କୋଭିଡ କେନ୍ଦ୍ରଗୁଡ଼ିକ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
  • ରାଜ୍ୟରେ କରୋନା ଟିକା ଅଭାବରୁ ବାଧାପ୍ରାପ୍ତ ହୋଇଛି ଟିକାକରଣ
  • ଓଡ଼ିଶାରେ ଆଉ ୨ ଦିନ ଭିତରେ ସରିଯିବ ଟିକା

ଓଡ଼ିଶାରେ ଦିନକୁ ଦିନ କରୋନା ସଂକ୍ରମଣ ହୁ ହୁ ବଢ଼ିବାରେ ଲାଗିଛି। ଏଥିପାଇଁ କରୋନା ପ୍ରଭାବିତ ରାଜ୍ୟରୁ ଯେଉଁ ବ୍ୟକ୍ତିମାନେ ଓଡ଼ିଶା ଆସୁଥିବେ ସେମାନେ ବାଧ୍ୟତାମୂଳକ ଭାବେ ଆର୍‌ଟିପିସିଆର୍ ଟେଷ୍ଟ କରାଇବେ। ଟେଷ୍ଟ ରିପୋର୍ଟ ନଥିଲେ ୭ ଦିନ ହୋମ୍ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡ଼ିବ। ଏନେଇ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

କରୋନା ସଂକ୍ରମଣର ଲେଉଟାଣିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ କୋଭିଡ କେନ୍ଦ୍ରଗୁଡ଼ିକୁ ପ୍ରସ୍ତୁତ କରିବାକୁ ସ୍ଵାସ୍ଥ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମଣ ପୁଣିଥରେ ପିକ୍‌କୁ ଯାଇଥିବା ବେଳେ ଟିକାର ଅଭାବ ଏବେ ରାଜ୍ୟସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଅନୁସାରେ ଟିକା ଅଭାବରୁ ରାଜ୍ୟରେ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଦୈନିକ ରାଜ୍ୟରେ ୨ ଲକ୍ଷ ଟିକାକରଣ ଲକ୍ଷ୍ୟ ରଖାଯାଇଥିବା ବେଳେ ବୁଧବାର ମାତ୍ର ୧ ଲକ୍ଷ ୧୦ ହଜାର ୮୮୯ ଡୋଜ୍ ଟିକାକରଣ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ଏବେ ଯେତିକି କରୋନା ଟିକା ଅଛି ଆଉ ଦୁଇ ଦିନ ମଧ୍ୟରେ ତାହା ଶେଷ ହୋଇଯିବ। ତେଣୁ ଯଦି ଆଜି ଟିକା ନ ଆସିବ, ତେବେ ଶନିବାରଠାରୁ ରାଜ୍ୟରେ ଟିକାକରଣକୁ ବନ୍ଦ କରାଯିବ। ଏପରିକି ଟିକା ଅଭାବରୁ ବୁଧବାର ରାଜ୍ୟର ୭୦୦ଟି ଟିକା କେନ୍ଦ୍ରରେ ଟିକାକରଣ ବନ୍ଦ ରହିଥିଲା।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୩୮ଲକ୍ଷ ୫୨ହଜାର ୨୦୬ ଡୋଜ୍ ଟିକାକରଣ କରାଯାଇଥିବା ବେଳେ ଆଗାମୀ ୧୦ ଦିନ ପାଇଁ ୨୫ ଲକ୍ଷ ଟିକାର ଆବଶ୍ୟକତା ରହିଛି। ତେଣୁ ଓଡ଼ିଶାକୁ ଯଥାଶୀଘ୍ର ଟିକା ଯୋଗାଇ ଦେବାକୁ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ଲେଖାଯାଇଛି।

Comment