(ପିପିଲିରୁ ଶୁଭଶ୍ରୀ ନାୟକ ଓ ବିଶ୍ଵଜିତ ସାହୁ)

ଉପନିର୍ବାଚନ ପାଇଁ ସରଗରମ ହେଉଛି ପିପିଲି ରାଜନୀତି, କିଏ ହେବ ପିପିଲିର ଆଗାମୀ ମହାରଥୀ?

ଫାଟିବ ଶଙ୍ଖ ଫୁଟିବ ପଦ୍ମ…

୩୫ ବର୍ଷ ବନାମ ୩୫ ମାସ…

ପିପିଲିରେ ପୁଣି ମହାରଥୀ…

ଜିତିବରେ ଜିତିବ ଅଜିତ ଭାଇ ଜିତିବ…

ସକାଳୁ ରାତି ଯାଏଁ ଏହିଭଳି ନାରାବାଜିରେ ଏବେ କମ୍ପୁଛି ପିପିଲି-ଡେଲାଙ୍ଗର ଗାଁଦାଣ୍ଡ। ବିଭିନ୍ନ ଦଳର କର୍ମୀମାନେ ଗାଁରୁ ଗାଁକୁ ବୁଲି ଜୋରଦାର୍ ପ୍ରଚାର ଚଳାଇଛନ୍ତି। କିଏ ଘର ଘର ବୁଲି ଭୋଟ୍ ମାଗୁଛି ତ, ଆଉ କିଏ ରୋଡ୍ ସୋ’, ରାଲି ଆଦି କରି ଶକ୍ତି ପ୍ରଦର୍ଶନ କରୁଛନ୍ତି।

ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ। ଆସନ୍ତା ୩ ବର୍ଷ ପାଇଁ ନେତା ବାଛିବେ ପିପଲି ଭୋଟର। ହାଇପ୍ରୋଫାଇଲ୍ ପିପିଲି ନିର୍ବାଚନ ମଣ୍ଡଳୀରେ ଏଥର ଶଙ୍ଖ ବାଜିବ ନା ପଦ୍ମ ଫୁଟିବ ତାକୁ ହିଁ ସମସ୍ତେ ଅପେକ୍ଷା କରିଛନ୍ତି।ଉପନିର୍ବାଚନ ପାଇଁ ଏବେ ପିପିଲି ଚଳଚଞ୍ଚଳ ହୋଇପଡ଼ିଛି। ଏଥର ନିର୍ବାଚନୀ ମଇଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ। କାହା ଉପରେ ଆସ୍ଥା ଦେଖାଇବେ ପିପିଲିବାସୀ? କିଏ ପିନ୍ଧିବ ପିପିଲି ଆସନର ବିଜୟ ମୁକୁଟ? ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜୋର୍ ଧରିଛି। ୩୫ ମାସ ପାଇଁ ସୁଶାସନକୁ ବାଛିବେ ପିପିଲିବାସୀ – ଆଶ୍ରିତ ପଟ୍ଟନାୟକ

ଏଥର ଉପନିର୍ବାଚନରେ ପିପିଲି ଆସନ ହାତେଇବାକୁ ଜୋର୍‌ଦାର ପ୍ରସ୍ତୁତି ଚଳାଇଛି ବିଜେପି। ଗତଥରର ଭୋଟ୍ ଦଳକୁ ମାଇଲେଜ ଦେଇଛି। ତେଣୁ ଏଥର ଉପନିର୍ବାଚନୀ ବୈତରଣୀକୁ ଖୁବ୍ ସହଜରେ ପାର୍ କରିବା ନେଇ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବେଶ୍ ଆଶାବାଦୀ ଅଛନ୍ତି। ଏଥିପାଇଁ ଡୋର୍ ଟୁ ଡୋର୍ କ୍ୟାମ୍ପେନକୁ ଗୁରୁତ୍ଵ ଦେଇଛି ବିଜେପି। ବିରାଟ ବିରାଟ ବାଇକ ରାଲିରେ ପଞ୍ଚାୟତଓ୍ଵାରୀ ପ୍ରଚାର ଜମୁଛି।

“୩୫ ବର୍ଷ ଧରି ପିପିଲିରେ ସୁଶାସନ ନଥିଲା। ଶାସକ ଦଳର ଏକକ ସ୍ଵାର୍ଥରେ ଅତିଷ୍ଠ ହୋଇପଡ଼ିଥିଲେ ପିପିଲିବାସୀ। କିନ୍ତୁ ଏବେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି। ଏଥର ବିଜେପି ଉପରେ ନିଶ୍ଚେ ଆସ୍ଥା ଦେଖାଇବେ ପିପିଲିବାସୀ। ଆସନ୍ତା ମେ’ ୨ ତାରିଖର ଫଳାଫଳରେ ବିଜେପିକୁ ଆଶୀର୍ବାଦ ଦେବେ ପିପିଲିବାସୀ”, କହିଛନ୍ତି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ।

ଆଶ୍ରିତ ଆହୁରି ମଧ୍ୟ କହିଛନ୍ତି, “ପିପିଲିବାସୀଙ୍କ ପାଖରେ ଏଯାଏଁ ଫନି ସହାୟତା ପହଞ୍ଚିପାରିନି। ଏ ଅଞ୍ଚଳକୁ କେନାଲ ଅଛି, କିନ୍ତୁ ଜଳ ସେଚନର ସୁବିଧା ନାହିଁ। ଗୋଟିଏ ପରିବାରର ସ୍ଵାର୍ଥ ପାଇଁ ଆଜି ପିପିଲି ବିନାଶ ଆଡ଼କୁ ଯାଇଛି। ଏହିସବୁ ପ୍ରସଙ୍ଗ ନେଇ ବିଜେପି ଲୋକଙ୍କ ପାଖକୁ ଯାଉଛି। ଗତ ନିର୍ବାଚନରେ ପିପିଲିବାସୀଙ୍କ ଭଲ ସହଯୋଗ ମିଳିଥିଲା। ତେଣୁ ଏଥର ପିପିଲିବାସୀ ବିଜେପିକୁ ନିଶ୍ଚୟ ସୁଯୋଗ ଦେବେ।”ପୁଣି ପିପିଲିରେ ବାଜିବ ଶୁଭ ଶଙ୍ଖ – ରୁଦ୍ର ମହାରଥୀ

ଗୋଟିଏ ପଟେ ମିଶନ ପିପିଲି ହାତେଇବା ଲକ୍ଷରେ ବିଜେପି କଳ, ବଳ, କୌଶଳ ଲଗାଇ ଦେଇଥିବା ବେଳେ ବିଜେଡି ମଧ୍ୟ ପିପିଲିରେ ବାଜିମାତ୍ କରିବାକୁ ରଣକୌଶଳ ପ୍ରସ୍ତୁତି କରିଛି।

ବାପାଙ୍କ ପରେ ପୁଅ। ଏଥର ବି ପିପିଲି ଆସନର ମୁକୁଟ ମହାରଥୀଙ୍କ ପରିବାରକୁ ଯିବ। ନବୀନଙ୍କ ଭାବମୂର୍ତ୍ତି ଆଗରେ ଫେଲ୍ ମାରିବ ମୋଦୀ ଲହର। ପିପିଲିର ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଧାୟକ କରିବେ ପିପିଲିବାସୀ। ପିପିଲି ଉବନିର୍ବାଚନକୁ ନେଇ ଏପରି ଆଶାବାଦୀ ଅଛି ଶାସକ ବିଜୁ ଜନତା ଦଳ।ବାଇକ୍ ରାଲି, ଖୋଲା ଜିପ୍ ଆଉ ପଦଯାତ୍ରା ଜରିଆରେ ପ୍ରଚାରକୁ ଏପରି ଦମ୍‌ଦାର କରୁଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ। ଗାଁ ଗାଁ ବୁଲି ମା’ ମାଉସୀଙ୍କ ପାଦ ଛୁଇଁ ପ୍ରଣାମ କରୁଛନ୍ତି। ବାପାଙ୍କ ପରି ସମସ୍ତଙ୍କ ସୁଖ ଦୁଃଖରେ ଛିଡ଼ାହେବେ, ପିପିଲିର ସର୍ବାଙ୍ଗୀନ ଉନ୍ନତି କରିବେ ବୋଲି ପ୍ରତିଶ୍ରୁତି ଦେଇ ଭୋଟ୍ ମାଗୁଛନ୍ତି ରୁଦ୍ର।

“ବାପାଙ୍କୁ ପିପିଲିବାସୀ ଭଲ ପାଉଥିଲେ। ଏଥିପାଇଁ ତାଙ୍କୁ ୭ଥର ସୁଯୋଗ ଦେଇଥିଲେ। ମୋ ପାଇଁ ବି ସେହି ସମାନ ଭଲ ପାଇବା ରହିବ, ଆଉ ମୁଁ ମଧ୍ୟ ସଂକଳ୍ପ କରୁଛି ପିପିଲି ପାଇଁ ବାପା ଦେଖିଥିବା ସ୍ଵପ୍ନକୁ ମୁଁ ପୂରା କରିବି। ଅଧାରେ ପଡ଼ି ରହିଥିବା କାମକୁ ଶେଷ କରିବି। ଡେଲାଙ୍ଗ-ପିପିଲିର ସର୍ବାଙ୍ଗୀନ ଉନ୍ନତି କରିବି”, କହିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ।   ପୋଷ୍ଟର, ବ୍ୟାନରରେ ସୀମିତ କଂଗ୍ରେସ

ପିପିଲି ଉପନିର୍ବାଚନ ପାଇଁ ବିଜେଡି ଆଉ ବିଜେପି ପକ୍ଷରୁ ଦମ୍‌ଦାର ପ୍ରଚାର ହେଉଥିବା ବେଳେ ପଛରେ ପଡ଼ିଯାଇଛି କଂଗ୍ରେସ। ପିପିଲିର ଗାଁ ଦାଣ୍ଡରେ କାଁ ଭାଁ ହାତ ଚିହ୍ନ ମାର୍କା ପୋଷ୍ଟର ଆଉ ବ୍ୟାନର ଦେଖିବାକୁ ମିଳୁଛି। ବିଜେଡି, ବିଜେପି ପ୍ରାର୍ଥୀଙ୍କ ପ୍ରଚାର ଆଗରେ ଫିକା ପଡ଼ିଯାଇଛି କଂଗ୍ରେସ ପ୍ରାର୍ଥୀଙ୍କ ନିର୍ବାଚନୀ ରାଲି। କଂଗ୍ରେସର ସ୍ଥିତି ଆଗପରି ଆଉ ନାହିଁ ବୋଲି ପିପିଲିର ଭୋଟରମାନେ କହୁଛନ୍ତି।

Comment